Categories: ଖେଳ

ସମ୍ମାନ ହାସଲ କରିଛି ଭାରତ: କୋହଲି

ଲଣ୍ଡନ, ୭ା୬ (ପି.ଟି.): ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା। ତେବେ ଭାରତୀୟ ଦଳ କ୍ରମାଗତ ଦୁଇଟି ସିରିଜରେ ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ହରାଇବା ପରେ ପ୍ରତିଦ୍ୱନ୍ଦ୍ୱିତାକୁ ବର୍ତ୍ତମାନ ଦଳ ସମ୍ମାନରେ ପରିଣତ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ବିରାଟ। ୨୦୧୮-୧୯ ଓ ୨୦୨୦-୨୧ରେ ଭାରତ ୨-୧ରେ ସିରିଜ ଜିତିବା ପରେ ଏହି ପରିବର୍ତ୍ତନ ଆସିଥିବା କୋହଲି କହିଛନ୍ତି। ପୂର୍ବରୁ ଉଭୟ ଦଳ ଖେଳୁଥିବା ବେଳେ ପଡିଆରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହୁଥିଲା। ସମୟକ୍ରମେ ଏଥିରେ ପରିବର୍ତ୍ତନ ଆସିଥିବା କହିଛନ୍ତି କୋହଲି। ଅଷ୍ଟ୍ରେଲିଆ ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ପ୍ରଦର୍ଶନ କରିବା ପାଇଁ ନିଜକୁ ସର୍ବଦା ଉତ୍ସାହିତ କରିବାକୁ ପଡିଥାଏ ବୋଲି ସେ କହିଛନ୍ତି। ଉଭୟ ଦଳର ଓଭାଲରେ ରେକର୍ଡ ଭଲ ନ ଥିବା ବେଳେ ଏଥିରେ ଉନ୍ନତି ଆଣିବାକୁ ପ୍ରୟାସ କରାଯିବ ବୋଲି କୋହଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ୩୮ ମ୍ୟାଚ୍‌ ଖେଳି ୭ ବିଜୟ ହାସଲ କରିଥିବା ବେଳେ ଭାରତ ୧୪ ମ୍ୟାଚ୍‌ରୁ ୨ ବିଜୟ ହାସଲ କରିଛି।

Share