ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚ୍.ଡି. ରେଭନ୍ନାଙ୍କୁ ଏସ୍ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ପୁଅ ତାଙ୍କ ବିରୋଧରେ ଅପହରଣ କରିଥିବା ଅଭିଯୋଗ ଆଣିଥିଲେ। କର୍ନାଟକ ପୋଲିସ ଶନିବାର ସକାଳେ ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମାମଲା ରୁଜୁ କରିଥିଲା। ରେଭନ୍ନା ଆଗୁଆ ଜାମିନ ପାଇଁ କରିଥିବା ଆବେଦନକୁ ସ୍ଥାନୀୟ ଅଦାଲତ ଖାରଜ କରିଦେବା ପରେ ପୋଲିସ ତାଙ୍କୁ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ବାସଭବନରୁ ଗିରଫ କରିଛି।
ରେଭନ୍ନାଙ୍କ ପୁଅ ତଥା ହାସନ ଏମ୍ପି ପ୍ରଜ୍ୱଳ ରେଭନ୍ନା ସମ୍ପୃକ୍ତ ଥିବା ଅନେକ ସଂଖ୍ୟାରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ବଳାତ୍କାର ଓ ଅସଦାଚରଣ ମାମଲାର ତଦନ୍ତ ଚାଲିଛି। ଲୋକ ସଭା ନିର୍ବାଚନରେ ହାସନ ଆସନରୁ ଭାଜପା ଏବଂ ଜେଡିଏସ୍ର ମିଳିତ ପ୍ରାର୍ଥୀ ହୋଇଥିବା ପ୍ରଜ୍ୱଳ ଦେଶ ଛାଡ଼ି ପଳାଇଯାଇଥିବାବେଳେ ତାଙ୍କୁ ଗିରଫ କରିବା ପାଇଁ ଜୋର୍ଦାର ଉଦ୍ୟମ ଜାରି ରହିଛି। ନିର୍ବାଚନ ସମୟରେ ଏହି ମାମଲାକୁ ନେଇ କର୍ନାଟକ ରାଜନୀତି ସରଗରମ ରହିଛି।