ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରମ୍ପ୍‌ଙ୍କର ଭାରତର ବନ୍ଧୁ ପଣିଆ ଧରା ପଡ଼ିଯାଇଛି। କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ନେଇ ବାଇଡନ୍‌ଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନରେ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ଜାଣିଶୁଣି କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ ତାହା ଅଜଣା। ଚାଇନା, ରୁଷ୍‌ ଏବଂ ଭାରତ ମୃତ୍ୟୁ ସଂଖ୍ୟାର ସଠିକ୍‌ ରିପୋର୍ଟ ଦେଉ ନ ଥିବା ସେ ଅଭିଯୋଗ ଆଣିଛନ୍ତି। କରୋନା ମହାମାରୀ ସଂକ୍ରମଣ ପାଇଁ ଚାଇନା ଦାୟୀ। ବାଇଡନ୍‌ ଯଦି ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାନ୍ତା ବୋଲି ଟ୍ରମ୍ପ୍‌ କହିଛନ୍ତି। ଇଷ୍ଟର ବେଳକୁ କରୋନା ସଂକ୍ରମଣ ଶେଷ ହୋଇଯାଇଥିବ ବୋଲି ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି।

Share