Advertisement

ମୋର ଭାରତରେ କୌଣସି ଜମି କିମ୍ବା ଘର ନାହିଁ…ଭାଜପା ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା

ନୂଆଦିଲ୍ଲୀ,୨୭।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ତାଙ୍କର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନ ଥିବା ସେ କହିଛନ୍ତି। ତେବେ ଭାଜପା ନେତା ଏନ୍‌ଆର ରମେଶ ଅଭିଯୋଗ କରିଥିଲେ ଯେ ପିଟ୍ରୋଡା ବନ ବିଭାଗର ଅଧିକାରୀମାନଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହାୟତାରେ ବେଙ୍ଗାଲୁରୁର ୟେଲାହାଙ୍କାରେ ୧୫୦ କୋଟି ଟଙ୍କା ମୂଲ୍ୟର ୧୨.୩୫ ଏକର ସରକାରୀ ଜମି ବେଆଇନ ଭାବରେ ଅଧିଗ୍ରହଣ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପିଟ୍ରୋଡା ପୋଷ୍ଟ କରି କହିଛନ୍ତି, ଭାରତୀୟ ଗଣମାଧ୍ୟମ, ଟେଲିଭିଜନ ଏବଂ ପ୍ରିଣ୍ଟ ଉଭୟରେ ପ୍ରକାଶିତ ସମ୍ପ୍ରତି ଖବରକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ମୋର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନାହିଁ।

ଭାରତ ସରକାରଙ୍କ ସହିତ ମୋର କାର୍ଯ୍ୟକାଳ ସମୟରେ – ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହିତ ହେଉ କିମ୍ବା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହଙ୍କ ସହିତ – ମୁଁ କେବେ କୌଣସି ଦରମା ନେଇନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ଏହା ବ୍ୟତୀତ ମୁଁ ସ୍ପଷ୍ଟ ଭାବରେ ଏହା ରେକର୍ଡରେ ରଖିବାକୁ ଚାହେଁ ଯେ ମୁଁ ମୋର ସମଗ୍ର ଜୀବନରେ – ୮୩ ବର୍ଷରେ – କେବେବି ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ କୌଣସି ଲାଞ୍ଚ ଦେଇନାହିଁ କିମ୍ବା ଗ୍ରହଣ କରିନାହିଁ। ଏହା ସମ୍ପୂର୍ଣ୍ଣ ସତ୍ୟ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National