Categories: ଖେଳ

ଫାଇନାଲରେ ଭାରତ

ବେନୋନି, ୭ା୨ (ପି.ଟି.): ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୪୮.୫ ଓଭରରେ ୮ ଉଇେକେଟ ବିନିମୟରେ୨୪୮ ରନ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ଭାରତ ୩୨ରନ ସ୍କୋରରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ସଚିନ ଧସ୍‌ (୯୬ରନ) ଓ ଅଧିନାୟକ ଉଦୟ ସହରନ (୮୧)ଙ୍କ ମଧ୍ୟରେ ୫ମ ଉଇକେଟରେ ୧୭୧ ରନର ପାର୍ଟନରଶିପ ଯୋଗୁ ଦଳ ପାଇଁ ବିଜୟ ପଥ ସୁଗମ ହୋଇଥିଲା।
ପୂର୍ବରୁ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୪୪ ରନ କରିଥିଲା। ଦଳ ପକ୍ଷରୁ ଲଢୁଆ ପ୍ରଦର୍ଶନ କରିଥିବା ଦୁଇ ଖେଳାଳି ଉଇକେଟକିପର ବ୍ୟାଟର ଲୁହାନ ଡିରେ ପ୍ରିଟୋରିଅସ୍‌ ୭୬ (୧୦୨ ବଲ୍‌) ଓ ରିଚାର୍ଡ ସିଲେଟସ୍ବେନ ୬୪ (୧୦୦ ବଲ୍‌) ରନ କରିପାରିଥିଲେ। ଭାରତ ତରଫରୁ ଶ୍ରେଷ୍ଠ ବୋଲିଂ କରିଥିବା ରାଜ ଲିମ୍ବାନୀ ୬୦ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ। ମୁଶିର ଖାନ୍‌ ୨ ଏବଂ ନମନ ତିଓ୍ବାରୀ ଓ ସୌମି ପାଣ୍ଡେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଗୁରୁବାର ଫାଇନାଲ ମ୍ୟାଚ ଖେଳାଯିବ। ଭାରତ ଏଥିରେ ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ଇନିଂସ: ୫୦ ଓଭରରେ ୨୪୪/୭ (ଲୁହାନ ଡିରେ ପ୍ରିଟୋରିଅସ୍‌-୭୬, ରିଚାର୍ଡ ସିଲେଟସ୍ବେନ-୬୪; ରାଜ ଲିମ୍ବାନୀ-୩/୬୦, ମୁଶିର ଖାନ୍‌-୨/୪୩)। ଭାରତ ଇନିଂସ: ୪୮.୫ ଓଭରରେ-୨୪୮/୮ (ସଚିନ ଧସ୍‌-୯୬, ଉଦୟ ସହରନ -୮୧; ଟ୍ରିଷ୍ଟାନ ଲୁସ୍‌-୩/୩୭, କ୍ୱେନା ମାଫାକା-୩/୩୨)।

Share