ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ କରିଛି। ବୁଧବାର ଏହି ସୂଚନା ସାମ୍ନାକୁ ଆସିଛି।

ଏସ୍‌ସିଓରେ ଚାଇନା, ଭାରତ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସାମିଲ ଅଛନ୍ତି। ବର୍ତ୍ତମାନ ଭାରତ ଏସ୍‌ସିଓର ଅଧ୍ୟକ୍ଷତା କରୁଛି। ଅଧ୍ୟକ୍ଷ ଭାବେ ଭାରତ ଏହି ବୈଠକ କରିବାକୁ ପ୍ରସ୍ତୁତ ରହିଛି।

କହିରଖୁଛୁ ଯେ, ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ମେ’ରେ ଗୋଆରେ ହେବାକୁ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ତେବେ ଭାରତ ପଠାଇଥିବା ନିମନ୍ତ୍ରଣ ଉପରେ ପାକିସ୍ତାନ ପକ୍ଷରୁ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା କୁହାଯାଉଛି। ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି। ଯଦି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ସଭାରେ ଯୋଗ ଦିଅନ୍ତି, ତେବେ ୨୦୧୧ ପରଠାରୁ ଇସଲାମାବାଦରୁ ଭାରତକୁ ଏହା ପ୍ରଥମ ଗସ୍ତ ହେବ।

Share