Categories: ଜାତୀୟ

୧୧୩ ଦେଶରୁ ୭୧ରେ ଭାରତ

ନୂଆଦିଲ୍ଲୀ, ୨୧ା୧୦: ନିକଟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ପଡ଼ୋଶୀ ପାକିସ୍ତାନଠାରୁ ଖରାପ ପ୍ରଦର୍ଶନ କରିଥିବାବେଳେ ବିଶ୍ୱ ଖାଦ୍ୟ ସୁରକ୍ଷା ସୂଚକାଙ୍କ(ଜିଏଫ୍‌ଏସ୍‌)-୨୦୨୧ରେ ମଧ୍ୟ ଭାରତ ଖରାପ ପ୍ରଦର୍ଶନ କରିଛି। ୧୧୩ଟି ଦେଶକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଭାରତ ୭୧ତମ ସ୍ଥାନରେ ରହିଛି। ଖାଦ୍ୟ ଉପଲବ୍ଧତାରେ ଭାରତକୁ ୫୦.୨ ପଏଣ୍ଟ ମିଳିଥିବାବେଳେ ପାକିସ୍ତାନକୁ ୫୨.୬ ଏବଂ ଶ୍ରୀଲଙ୍କା ୬୨.୯ ପଏଣ୍ଟ ପାଇଛି। ୨୦୧୨ରେ ଭାରତକୁ ୫୪.୫ ପଏଣ୍ଟ ମିଳିଥିବାବେଳେ ଚଳିତ ବର୍ଷ ମାତ୍ର ୨.୭ ପଏଣ୍ଟ ଅଧିକ ହାସଲ କରିଛି। ୨୦୧୨ରେ ପାକିସ୍ତାନ ୪୫.୭ ସ୍କୋର ପାଇଥିଲା। ଲଣ୍ଡନର ଇକୋନୋମିଷ୍ଟ ଇମ୍ପାକ୍ଟ ଏବଂ କୋର୍ଟେଭା ଏଗ୍ରିସାଇନ୍ସ ପକ୍ଷରୁ ମଙ୍ଗଳବାର ଜିଏଫ୍‌ଏସ୍‌ ରିପୋର୍ଟ ପ୍ରକାଶ ପାଇଛି।
ଅଷ୍ଟ୍ରେଲିଆ, ବ୍ରିଟେନ୍‌, ଫିନ୍‌ଲାଣ୍ଡ, ସୁଇଜରଲାଣ୍ଡ, ନେଦରଲାଣ୍ଡ୍‌ସ, କାନାଡା, ଜାପାନ, ଫ୍ରାନ୍ସ ଏବଂ ଆମେରିକାର ଜିଏଫ୍‌ଏସ୍‌ ସ୍କୋର ୭୭.୮ରୁ ୮୦ ପଏଣ୍ଟ ରହିଥିବାରୁ ଏହି ଦେଶଗୁଡ଼ିକ ତାଲିକାର ଶୀର୍ଷ ଭାଗରେ ରହିଛନ୍ତି। ଜିଏଫ୍‌ଏସ୍‌ ସୂଚକାଙ୍କ ୧୧୩ ଦେଶରେ ଖାଦ୍ୟ ନିରାପତ୍ତାର ପ୍ରମୁଖ କାରକ ଯଥା ଖାଦ୍ୟର ଉପଲବ୍ଧତା, ଗୁଣବତ୍ତା, ନିରାପତ୍ତା ସମେତ ପ୍ରାକୃତିକ ସମ୍ପଦ ଉପରେ ଆଧାରିତ। ଆୟ, ଅର୍ଥନୈତିକ ଅସମାନତା ସମେତ ଖାଦ୍ୟ ସୁରକ୍ଷାର ୫୮ ସ୍ବତନ୍ତ୍ର ଇଣ୍ଡିକେଟରକୁ ଜିଏଫ୍‌ଏସ୍‌ରେ ଧ୍ୟାନରେ ରଖାଯାଇଥାଏ। ୨୦୩୦ ସୁଦ୍ଧା ଶୂନ କ୍ଷୁଧା ଦିଗରେ ଅଗ୍ରସର ହୋଇ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେ ଦିଗରେ କାର୍ଯ୍ୟ କରିବା ନିମନ୍ତେ ଏହି ରିପୋର୍ଟରେ ଆହ୍ବାନ ଦିଆଯାଇଛି। ତେବେ ଦକ୍ଷିଣ ଏସିଆରେ ମୋଟ ଉପରେ ଭାରତର ପ୍ରଦର୍ଶନ ଭଲ ରହିଛି। ସାମଗ୍ରିକ ସ୍କୋର ଅନୁସାରେ ପାକିସ୍ତାନ ୭୫ତମ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ୭୭, ନେପାଳ ୭୯, ବାଂଲାଦେଶ ୮୪ ତମ ସ୍ଥାନରେ ରହିଛି। ତେବେ ଚାଇନା ଭଲ ପ୍ରଦର୍ଶନ କରି ଏହି ତାଲିକାରେ ୩୪ତମ ସ୍ଥାନ ପାଇଛି। ଭାରତ ଖାଦ୍ୟର ଗୁଣବତ୍ତା ଏବଂ ନିରାପତ୍ତା ସମେତ ଏହାର ଉତ୍ପାଦନ ନିମନ୍ତେ ପ୍ରାକୃତିକ ସମ୍ବଳର ସୁରକ୍ଷା ଦିଗରେ ପାକିସ୍ତାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କାଠାରୁ ଉନ୍ନତ ରହିଥିବା ରିପୋର୍ଟରେ କୁହାଯାଇଛି।

Share