Categories: ଖେଳ

ଫିଫା ର଼୍ୟାଙ୍କିଙ୍ଗରେ ଭାରତ ୯୯

ନୂଆଦିଲ୍ଲୀ, ୨୧/୭(ପି.ଟି.): ସାଫ୍‌ ଚାମ୍ପିୟନଶିପ୍‌ ପରେ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳ ୯୯ତମ ସ୍ଥାନ ଅଧିକାର କରିଛି। ୨୦୧୮ ପରେ ପ୍ରଥମ ଥର ଭାରତ ର଼୍ୟାଙ୍କିଙ୍ଗ ତାଲିକାରେ ୧୦୦ ଭିତରେ ସ୍ଥାନ ପାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ଶକ୍ତିଶାଳୀ ଦଳ ଲେବାନନ ଓ କୁଏଟ୍‌କୁ ଯଥାକ୍ରମେ ସେମିଫାଇନାଲ ଓ ଫାଇନାଲ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଥିଲା। ଲେବାନନକୁ ମଧ୍ୟ ଦୁଇ ସ୍ଥାନ ଫାଇଦା ମିଳିଛି। ଭାରତ ତଳକୁ ଏହି ଦଳ ୧୦୦ତମ ସ୍ଥାନରେ ରହିଛି। କୁଏଟ୍‌ ୪ ସ୍ଥାନ ଉପରକୁ ଉଠି ୧୩୭ତମ ସ୍ଥାନରେ ଅଛି। ସାଫ୍‌ ଚାମ୍ପିୟନଶିପ୍‌କୁ ଅଧିକ ପ୍ରତିଯୋଗିତାମୂଳକ କରିବା ଲାଗି ଏଥର ପଶ୍ଚିମ ଏସୀୟ ଦେଶ ଲେବାନନ ଓ କୁଏଟ୍‌କୁ ଆମନ୍ତ୍ରଣ କରାଯାଇଥିଲା। ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୧୨୦୮.୬୯ ରହିଛି। ୧୯୯୬ରେ ଭାରତର ଶ୍ରେଷ୍ଠ ଫିଫା ର଼୍ୟାଙ୍କିଙ୍ଗ ୯୪ତମ ସ୍ଥାନରେ ରହିଥିଲା। ଦଳ ୧୯୯୩ରେ ୯୯ତମ, ୨୦୧୭ ଓ ୨୦୧୮ରେ ୯୬ ଏବଂ ଗତ ମାସରେ ୧୦୦ତମ ସ୍ଥାନରେ ରହିଥିଲା। ଓଭରଅଲ୍‌ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଶୀର୍ଷ ସ୍ଥାନରେ ରହିଥିଲା। ଏହା ପଛକୁ ପଛ ଯଥାକ୍ରମେ ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ ଓ ବେଲଜିୟମ ରହିଛନ୍ତି। ଏସୀୟ ଦେଶଗୁଡ଼ିକ ମଧ୍ୟରେ ଜାପାନ ସବୁଠାରୁ ଉଚ୍ଚରେ ୨୦ତମ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଇରାନ (୨୨ତମ), ଅଷ୍ଟ୍ରେଲିଆ (୨୭ତମ), କୋରିଆ (୨୮ତମ) ଓ ସାଉଦି ଆରବ (୫୪) ରହିଛନ୍ତି।

Share