Categories: ଜାତୀୟ

ସଶକ୍ତ-ସମୃଦ୍ଧ-ଏକୀକୃତ ଆସିଆନ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୧୬।୬ : ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଏକୀକୃତ ଆସିଆନ (ଏଏସଇଏଏନ) ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏନେଇ ଭାରତ ଏହାର ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଇଛି । ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆସିଆନର ୧୦ ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି।

ଆସିଆନର ଦୁଇ ଦିନିଆ ବୈଠକରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି ଯେ ବିକେନ୍ଦ୍ରୀକରଣ, ଜଗତୀକରଣ ଏବଂ ନମନୀୟ ଏବଂ ନିର୍ଭରଯୋଗ୍ୟ ଯୋଗାଣ ପ୍ରଣାଳୀକୁ ପ୍ରୋତ୍ସାହିତ କରିବାରେ ଏକ ଉନ୍ନତ ସଂଯୁକ୍ତ ଭାରତ ଏବଂ ଆସିଆନ ଗଠନ କ୍ଷେତ୍ରରେ ପ୍ରୟାସ ସଫଳ ହେବ।

କରୋନା ମହାମାରୀ ବିଷୟରେ ଉଲ୍ଲେଖ କରି ଜୟଶଙ୍କର କହିଛନ୍ତି ଯେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ମହାମାରୀ ପରେ ପୁନରୁଦ୍ଧାର ଜାରି ରହିଛି। ତେବେ ଭୂ-ରାଜନୈତିକ ସମସ୍ୟା ଯୋଗୁ ମହାମାରୀର ମୁକାବିଲା କରିବା କଷ୍ଟକର ହୋଇପଡିଛି। ୟୁକ୍ରେନର ଘଟଣାକ୍ରମ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ପ୍ରଭାବ ତଥା ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମୂଲ୍ୟ ଏବଂ ଲଜିଷ୍ଟିକ ଯୋଗାଣ ସହିତ ଆମକୁ ଏହାର ମୁକାବିଲା କରିବାକୁ ପଡିବ।

ସେ କହିଛନ୍ତି ଯେ ଆସିଆନ ସର୍ବଦା ଆଞ୍ଚଳିକତା, ବହୁପକ୍ଷତା ଏବଂ ଜଗତୀକରଣର ପ୍ରତୀକ ଭାବରେ ଛିଡା ହୋଇଛି। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ରଣନୈତିକ ଏବଂ ଅର୍ଥନୈତିକ ଭିତ୍ତିଭୂମି ବିକାଶ ପାଇଁ ମୂଳଦୁଆ ପକାଇଛି। ସେ କହିଛନ୍ତି ଯେ ବିଶ୍ୱ ସମ୍ପ୍ରତି ସମ୍ମୁଖୀନ ହେଉଥିବା ଭୌଗୋଳିକ ଆହ୍ବାନ ଏବଂ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏବେ ଆସିଆନର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହ ଆସୋସିଏଶନ ଏହି ଅଞ୍ଚଳର ଅନ୍ୟତମ ପ୍ରଭାବଶାଳୀ ଗୋଷ୍ଠୀ ଭାବରେ ପରିଗଣିତ ହେବାରେ ଲାଗିଛି।

Share