ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରୁଛି ଭାରତ

ଓ୍ବାଶିଂଟନ, ୨୩।୧୦: ଚାଇନା ନିକଟରେ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ନେଇ ଖବର ପ୍ରକାଶ ପାଇଥିବାବେଳେ ଭାରତ ସମେତ କେତେକ ଦେଶ ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତି ଚଳାଇଥିବା ଆମେରିକା କଂଗ୍ରେସର ଏକ ସ୍ବାଧୀନ ସଂସ୍ଥା ରିପୋର୍ଟରେ କୁହାଯାଇଛି। କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ (ସିଆର୍‌ଏସ୍‌)ର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମେରିକା, ରୁଷିଆ ଓ ଚାଇନା ଅତ୍ୟାଧୁନିକ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ହାସଲ କରିଥିବାବେଳେ ଏବେ ଭାରତ ସମେତ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ ଓ ଜାପାନ ହାଇପରସୋନିକ୍‌ ଅସ୍ତ୍ର ପ୍ରଯୁକ୍ତିର ବିକାଶ କରୁଛନ୍ତି। ଅଷ୍ଟ୍ରେଲିଆ ଆମେରିକା ସହ ମିଳିତ ଭାବେ ଏଭଳି କ୍ଷେପଣାସ୍ତ୍ର ନିର୍ମାଣ ଲାଗି କାର୍ଯ୍ୟ କରୁଥିବାବେଳେ ଭାରତ ରୁଷିଆ ସହାୟତାରେ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିର୍ମାଣ କରୁଥିବା ରିପୋର୍ଟରେ କୁହାଯାଇଛି। ଭାରତ ରୁଷିଆ ସହାୟତାରେ ବ୍ରହ୍ମୋସ୍‌-୨ ନାମରେ ମାକ୍‌ ୭ ହାଇପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବିକଶିତ କରିଛି। ଏହି କ୍ଷେପଣାସ୍ତ୍ର ୨୦୧୭ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁ ଏବେ ୨୦୨୫ରୁ ୨୦୨୮ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଭାରତ ନିଜସ୍ବ ଜ୍ଞାନକୌଶଳରେ ଦ୍ୱୈତ ସାମର୍ଥ୍ୟ ବିଶିଷ୍ଟ ଏକ ହାଇପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ବିକାଶ କରୁଛି। ଏହା ହାଇପରସୋନିକ୍‌ ଟେକ୍‌ନୋଲୋଜି ଡେମୋନଷ୍ଟ୍ରେଟର ଭେହିକ୍ଲ କାର୍ଯ୍ୟକ୍ରମର ଅଂଶବିଶେଷ। ୨୦୧୯ ଜୁନ୍‌ ଏବଂ ୨୦୨୦ ସେପ୍ଟେମ୍ବରରେ ମାକ୍‌ ୬ ସ୍କ୍ରାମଜେଟ୍‌ ସଫଳତାର ସହ ପରୀକ୍ଷା କରାଯାଇଥିବା ଏସ୍‌ଆର୍‌ସି ରିପୋର୍ଟରେ କୁହାଯାଇଛି। ଚାଇନା ଗତ ଅଗଷ୍ଟରେ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ବେଜିଂ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଆଣବିକ କ୍ଷମତାସମ୍ପନ୍ନ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନୁହେଁ ହାଇପରସୋନିକ୍‌ ଭେହିକିଲ୍‌ର ପରୀକ୍ଷା କରାଯାଇଥିବା ଚାଇନା କହିଛି।

 

Share