୨୦୧୧-୨୦ରେ ଭାରତ ଅଧିକ ଉତ୍ତପ୍ତ, ଆର୍ଦ୍ର

ଦୁବାଇ,୬ା୧୨(ପି.ଟି.):ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ୨୦୧୧ରୁ ୨୦୨୦ ଦଶନ୍ଧିରେ ଭାରତ ଅଧିକ ଉତ୍ତପ୍ତ ଓ ଆର୍ଦ୍ର ରହିଥିଲା ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ନୂଆ ରିପୋର୍ଟରେ କୁହାଯାଇଛି। ଦୁବାଇରେ ଚାଲିଥିବା ଜାତିସଂଘ ଜଳବାୟୁ ସମ୍ମିଳନୀ ଅବସରରେ ମଙ୍ଗଳବାର ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ଡବ୍ଲ୍ୟୁଏମ୍‌ଓର ଜଳବାୟୁ ସ୍ଥିତି ରିପୋର୍ଟ ପ୍ରତିବର୍ଷ ପ୍ରକାଶ ପାଇଥାଏ। ନୂଆ ରିପୋର୍ଟରେ ଗୋଟିଏ ଦଶନ୍ଧିର ପାଣିପାଗ ସ୍ଥିତି ଉଲ୍ଲେଖ ରହିଛି, ଯାହା ଆଗାମୀ ଦିନର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ଚିତ୍ର ପ୍ରଦାନ କରୁଛି ବୋଲି ଡବ୍ଲ୍ୟୁଏମ୍‌ଓ ଉପମହାସଚିବ ଏଲେନା ମାନାଏଙ୍କୋଭା କହିଛନ୍ତି। ଏଲ୍‌ ନିନୋ ଏବଂ ଲା ନିନା ଭଳି ପ୍ରଭାବ ଯୋଗୁ ପାଣିପାଗରେ ତାରତମ୍ୟ ଦେଖାଦେଇଛି। ଏଲ୍‌ ନିନୋ ଏବଂ ଲା ନିନା ହେଉଛି ବିଷୁବମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ କିଛିଦିନ ପାଇଁ ଜଳର ଅସ୍ବାଭାବିକ ଉଷ୍ମତା ଓ ଶୀତଳତାର ପ୍ରଭାବ। ଏହି ତାପମାତ୍ରା ବିଭିନ୍ନ ଦେଶର ପାଣିପାଗକୁ ପ୍ରଭାବିତ କରିଥାଏ। ଜଳବାୟୁ ସମିଟ୍‌ କପ୍‌୨୮ରେ ପ୍ରକାଶ ପାଇଥିବା ୨୦୨୩ର ଅସ୍ଥାୟୀ ବାର୍ଷିକ ରିପୋର୍ଟରେ ଚଳିତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଛି।
ଡବ୍ଲ୍ୟୁଏମ୍‌ଓ ରିପୋର୍ଟ ଅନୁଯାୟୀ ଉତ୍ତର-ପଶ୍ଚିମ ଭାରତ, ପାକିସ୍ତାନ, ଚାଇନା ଏବଂ ଆରବୀୟ ଉପଦ୍ୱୀପର ଦକ୍ଷିଣ ଉପକୂଳରେ ଗତ ଦଶନ୍ଧି ଅଧିକ ଆର୍ଦ୍ର ରହିଥିଲା। ଏହି ସମୟରେ ଦକ୍ଷିଣ-ପୂର୍ବ ଏସିଆ, ୟୁରୋପ, ଆଫ୍ରିକା ମହାଦେଶର ଦକ୍ଷିଣ ଭାଗ, ମେକ୍ସିକୋ ଏବଂ ପୂର୍ବ ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଅତ୍ୟଧିକ ଉତ୍ତପ୍ତ ଦିନ ସଂଖ୍ୟା ୧୯୬୧-୧୯୯୦ ସମୟର ହାରାହାରି ଉତ୍ତପ୍ତ ଦିନର ଦୁଇଗୁଣ ଥିଲା। ବିଶ୍ୱ ତାପମାତ୍ରା ବଢ଼ୁଥିବାରୁ ଏହି ସମୟରେ ଅତ୍ୟଧିକ ଶୀତ ଦିନ ସଂଖ୍ୟା ୧୯୬୧-୧୯୯୦ ସମୟ ତୁଳନାରେ ୪୦ ପ୍ରତିଶତ ହ୍ରାସ ପାଇଥିଲା। ୨୦୧୩ ଜୁନ୍‌ରେ ଭାରତରେ ବର୍ଷାଦିନେ ସବୁଠୁ ଭୟାବହ ବନ୍ୟା ହୋଇଥିଲା। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ବରଫ ତରଳିବା ଏବଂ ଗ୍ଲେସିୟର ହ୍ରଦ ମାଡ଼ିଆସିବା ଯୋଗୁ ୫,୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ କେରଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟାରେ ବହୁ ଧନଜୀବନ କ୍ଷୟ ହୋଇଥିଲା। ୨୦୧୯ ଏବଂ ୨୦୨୦ ବର୍ଷ ଭାରତରେ ସବୁଠୁ ଆର୍ଦ୍ର ମୌସୁମୀ ଋତୁ ଥିଲା। ଏହି ସମୟରେ ସର୍ବାଧିକ ବନ୍ୟା ହୋଇଥିଲା।

Share