Categories: ଜାତୀୟ

ଭାରତ ପାଇଁ ମାଡିଆସୁଛି ବିପଦ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୦ରୁ ରୋମରେ ହେବାକୁ ଥିବା ୧୬ତମ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଏକ ରିପୋର୍ଟ ସମଗ୍ର ବିଶ୍ୱକୁ ଚିନ୍ତା ବଢାଇଦେଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ସିଏମ୍‌ସିସି (ୟୁରୋ-ମେଡେଟେରେନିୟନ୍‌ ସେଣ୍ଟର ଅନ କ୍ଲାଇମେଟ୍‌ ଚେଞ୍ଜ୍‌) ର ୪୦ରୁ ଅଧିକ ବୈଜ୍ଞାନିକ ସେମାନଙ୍କ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ ଯଦି ଅଙ୍ଗାରକାମ୍ଳ ନିର୍ଗମନ ଏହିପରି ରହେ, ତେବେ ୨୦୩୬-୬୫ ସୁଦ୍ଧା ଉତ୍ତାପ ୨୫ଗୁଣ ବୃଦ୍ଧି ପାଇବ । କେବଳ ଏତିକି ନୁହେଁ, ଯଦି ବିଶ୍ୱ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢିଯାଏ, ତେବେ ଏହା ପାଞ୍ଚ ଗୁଣ ହେବ। ଯଦି କାର୍ବନ ନିର୍ଗମନ ବହୁତ କମ ହେବ ତେବେ ଏହା ଦେଢ ଗୁଣ ରହିବ ଏବଂ ତାପମାତ୍ରା ୧.୫ ଡିଗ୍ରୀ ମଧ୍ୟ ବୃଦ୍ଧି ପାଇବ। ରିପୋର୍ଟରେ ଦର୍ଶାଯାଇଛି ଯେ ତାପମାତ୍ରା ବୃଦ୍ଧି ହେତୁ ଭାରତରେ ଆଖୁ, ଚାଉଳ, ଗହମ ଏବଂ ମକା ଉତ୍ପାଦନ ହ୍ରାସ ପାଇବ, ଯଦି ପରିସ୍ଥିତି ଜାରି ରହେ ତେବେ ୨୦୫୦ ସୁଦ୍ଧା କୃଷି ପାଇଁ ଜଳର ଚାହିଦା ୨୯ ପ୍ରତିଶତ ବୃଦ୍ଧି ପାଇବ। ଯାହାର ପ୍ରତ୍ୟକ୍ଷ ପ୍ରଭାବ ଅମଳ ଉପରେ ଦେଖାଯିବ।
ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ଏବଂ ପ୍ରବଳ ଗରମ ପବନ ହେତୁ ୩୦ ବର୍ଷ ମଧ୍ୟରେ ପ୍ରବଳ ମରୁଡ଼ି ହୋଇପାରେ। ଏହା ସହିତ କୃଷି ପାଇଁ ଆବଶ୍ୟକ ଜଳ ମଧ୍ୟ ମିଳିବା ମଧ୍ୟ କଷ୍ଟକର ହୋଇପଡିବ। ଏହିପରି ଜଳବାୟୁ ପରିବର୍ତ୍ତନ କେବଳ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟାଇବ ନାହିଁ ବରଂ ମାନବ ଜୀବନ ପାଇଁ ବିପଦ ହୋଇ ରହିବ। ଭାରତରେ ଚାଉଳ ଏବଂ ଗହମ ଉତ୍ପାଦନ ବହୁ ମାତ୍ରାରେ ହ୍ରାସ ପାଇବ। ଏହାଦ୍ୱାରା ପ୍ରାୟ ୮୧ ବିଲିୟନ ୟୁରୋ କ୍ଷତି ହେବ ଏବଂ ୨୦୫୦ ସୁଦ୍ଧା ୧୫ ପ୍ରତିଶତ କୃଷକ ଆୟ ହରାଇବେ। ରିପୋର୍ଟ ଅନୁଯାୟୀ, ଯଦି ୨୦୫୦ ସୁଦ୍ଧା କାର୍ବନ ନିର୍ଗମନ କମ ରହେ, ତେବେ ମାଛ ଉତ୍ପାଦନ ୮.୮ ପ୍ରତିଶତ ହ୍ରାସ ହୋଇପାରେ ଏବଂ ଯଦି ଏହା ବୃଦ୍ଧି ହୁଏ ତେବେ ଏହି ହ୍ରାସ ୧୭.୧ପ୍ରତିଶତକୁ ଯାଇପାରେ। ଆଜି ଭାରତରେ ୧୩ ଲକ୍ଷ ଲୋକ ବନ୍ୟା ଆଶଙ୍କାରେ ଜୀବନ ବିତାଉଥିବାବେଳେ ୨୦୫୦ ମସିହାରେ ଏହି ବିପଦ ୧୮ ନିୟୁତ ଲୋକଙ୍କ ମୁଣ୍ଡରେ ଏହି ବିପଦ ରହିବ।
ରିପୋର୍ଟରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ଜି୨୦ ଦେଶ ଉପରେ ପୂର୍ବରୁ ପ୍ରଭାବ ପକାଉଛି। ଗତ ୨୦ ବର୍ଷ ମଧ୍ୟରେ, ଜି -୨୦ ଦେଶରେ ଉତ୍ତାପ ମୃତୃ୍ୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି।

Share