Categories: ଜାତୀୟ

ଲଦାଖରେ ଶକ୍ତି ବଢ଼ାଉଛି ଭାରତ

ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଦୌଲତବେଗ୍‌ ଓଲ୍‌ଡି ଓ ଦେପ୍‌ସାଙ୍ଗ ନିକଟରେ ୧୭ ହଜାରରୁ ଅଧିକ ସୈନ୍ୟ ଚାଇନା ମୁତୟନ କରବା ସହ ଯୁଦ୍ଧାସ୍ତ୍ର ମହଜୁଦ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସେନା ଓ ଟ୍ୟାଙ୍କ ଠୁଳ କରିବାରେ ଲାଗିପଡ଼ିଛି। ପିଏଲ୍‌ଏର ଯେକୌଣସି ଉଦ୍ୟମକୁ ପଣ୍ଡ କରିବା ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସୀମା ଶାନ୍ତ ଲାଗି ଦୁଇଦେଶ ଆଲୋଚନା ଜାରି ରଖିଥିବାବେଳେ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଲ୍‌ଏସି ନିକଟ ଦେପ୍‌ସାଙ୍ଗ ଓ ଦୌଲତ ବେଗ୍‌ ଓଲ୍‌ଡିରେ ଚାଇନା ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସେନା ଅପସାରଣ ପରେ ଶାନ୍ତି ଫେରିଲେ ପର୍ଯ୍ୟାୟ କ୍ରମେ ଆଲୋଚନା କରିବା ସପକ୍ଷରେ ଭାରତ ରହିଛି। ପ୍ରକାଶଥାଉ କି, ରବିବାର ଦୁଇଦେଶ ମଧ୍ୟରେ ମୋଲ୍‌ଡୋଠାରେ ସେନା କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ପୂର୍ବରୁ ଗଲ୍‌ଓ୍ବାନ ଉପତ୍ୟକାରୁ ସେନା ଅପସାରଣ ଲାଗି ଚାଇନା ରାଜି ହୋଇଥିଲା। ଏବେ ସେ ଏହାକୁ ମାନୁନି। ଫଳରେ ଦୁଇଦେଶ ଲଦାଖ ସୀମାରେ ପୁଣି ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟିହୋଇଛି।
ଅନ୍ୟପକ୍ଷରେ ଭାରତ ପ୍ରତିରକ୍ଷା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରିବା ଲାଗି ଯୋଜନା କରୁଛି। ୨୦୨୫ ସୁଦ୍ଧା ପ୍ରତିରକ୍ଷା ସରଞ୍ଜାମ କିଣାରେ ୧.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଚିଠାରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ଡ୍ରାଫ୍ଟ ଡିଫେନ୍ସ ପ୍ରଡକ୍ସନ ଆଣ୍ଡ ଏକ୍ସପୋର୍ଟ ପ୍ରମୋଶନ ପଲିସି-୨୦୨୦ରେ ୩୫ ହଜାର କୋଟି ଟଙ୍କାର ଅନ୍ତରୀକ୍ଷ ଓ ପ୍ରତିରକ୍ଷା ସରଞ୍ଜାମ ଆଗାମୀ ୫ ବର୍ଷ ଲାଗି କ୍ରୟ କରାଯିବ।

Share