Categories: ଜାତୀୟ

ଲୋକତନ୍ତ୍ର ଉପରେ ଆସ୍ଥା ରଖି ଭାରତ ଅଗ୍ରସର ହେଉଛି…

ନୂଆଦିଲ୍ଲୀ, ୩୧।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ଲୋକତନ୍ତ୍ର ଉପରେ ଆସ୍ଥା ରଖି ଅଗ୍ରସର ହେଉଛି। ଦେଶ ଇତିମଧ୍ୟରେ ୧୫୦ କୋଟି ଟିକାକରଣ ଲକ୍ଷ୍ୟ ପୂରଣ କରି କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଭାରତ ଦ୍ୱାରା ବିକଶିତ କରୋନା ଟିକା ସାରା ପୃଥିତ୍ବୀର ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଏହା ଅତ୍ୟନ୍ତ ଗର୍ବର ବିଷୟ।

ରାଷ୍ଟ୍ରପତି କହିଛନ୍ତି, ’ମୁଁ ଦେଶର ଲକ୍ଷ ଲକ୍ଷ ସୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ କରୁଛି, ଯେଉଁମାନେ ସେମାନଙ୍କର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି ଏବଂ ଭାରତକୁ ଏହାର ଅଧିକାର ଦେଇଛନ୍ତି। ସେହିପରି ଭାରତର ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଦେଶର ବିକାଶ ଯାତ୍ରାରେ ଯେଉଁମାନେ ସହଯୋଗ କରିଛନ୍ତି ସେଭଳି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୁଁ ସମ୍ମାନ ଜଣାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଗଣତନ୍ତ୍ରର ଶକ୍ତି ଆଧାରରେ କରୋନା ସହ ଲଢ଼େଇ ସରକାର ଏବଂ ନାଗରିକଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମନ୍ବୟ ଓ ସହଯୋଗର ଏକ ଅଦ୍ୱିତୀୟ ଉଦାହରଣ ପାଲଟିଛି। ଏହା ଭାରତରେ ସ୍ବତଃ ପ୍ରମାଣିତ ହୋଇ ପାରିଛି ବୋଲି ସେ କହିଛନ୍ତି। ଏଥିପାଇଁ ମୁଁ ଦେଶର ପ୍ରତ୍ୟେକ ସାସ୍ଥ୍ୟ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀ, ପ୍ରତ୍ୟେକ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ଭାରତ ସରକାର ଆସନ୍ତା ୨୫ ବର୍ଷର ମୂଳଦୁଆ ସୁଦୃଢ଼ ପାଇଁ କାର୍ଯ୍ୟ କରୁଛନ୍ତି। ଏହା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ସମ୍ଭବ ହେବାରେ ଲାଗିଛି। ସେହିପରି ମହିଳାଙ୍କ ବିକାଶ ପାଇଁ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଏହା ଅର୍ନ୍ତଗତ ବାଳିକା ଶିକ୍ଷା ଯୋଜନା, ବିବାହ ବୟସ ସୀମା ବୃଦ୍ଧି ଏବଂ ତିନ୍‌ ତଲାକ୍‌ ଉଚ୍ଛେଦ ଆଦି ବେଶ୍‌ ଯୁଗ ଉପଯୋଗୀ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହା ସହିତ ରାଷ୍ଟ୍ରପତିି ସରକାରଙ୍କ ବିଭିନ୍ନ ସଫଳତାର ହିସାବ ଦେଇଛନ୍ତି।

Share