Categories: ଖେଳ

ବିଶ୍ୱରେ ଭାରତ ଦ୍ୱିତୀୟ

ଯେ କୌଣସି କ୍ରୀଡ଼ା ହେଉନା କାହିଁକି ଅନେକ ସମୟରେ ତ୍ୱରିତ ସଫଳତା ପାଇଁ କେତେକ ଖେଳାଳି ଶର୍ଟ କଟ୍‌ ପନ୍ଥା ଆପଣେଇଥାନ୍ତି। ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସମୟ ସମୟରେ ଶକ୍ତିବର୍ଦ୍ଧକ (ଡୋପିଂ) ବ୍ୟବହାର କରିଥାନ୍ତି। ପୂର୍ବରୁ ଅନେକ ସମୟରେ ଶକ୍ତିବର୍ଦ୍ଧକର ମାତ୍ରା ମିଳୁ ନ ଥିବା ବେଳେ ବର୍ତ୍ତମାନ ଟେକ୍ନୋଲୋଜିର ବହୁଳ ବ୍ୟବହାର ଫଳରେ ସ୍ବଚ୍ଛତା ଆସିଛି। ସାଧାରଣତଃ ଆଥଲେଟିକ୍ସ ବର୍ଗରେ ଖେଳାଳିମାନେ ମାତ୍ରାଧିକ ଡୋପିଂର ଖବର ସାମ୍ନାକୁ ଆସିଥାଏ। ଆଶ୍ଚର୍ଯ୍ୟଜନକ ଭାବରେ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ କ୍ରୀଡାବିତ୍‌ଙ୍କ ମଧ୍ୟରେ ଡୋପିଂ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁସାରେ ୨୦୨୨ରେ ସମଗ୍ର ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୮୭ ଡୋପିଂ ମାମଲା ସହ ରୁଷିଆ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ୬୨ ମାମଲା ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଜନସଂଖ୍ୟାରେ ଆମେ ଚାଇନାକୁ ଅତିକ୍ରମ କରିବା ଭଳି ଡୋପିଂ ମାମଲାରେ ରୁଷିଆକୁ ପଛରେ ପକାଇବାର ସ୍ଥିତି ଉପନୀତ ହୋଇଛି।
କେଉଁ ଦେଶରୁ କେତେ: ବିଶ୍ୱ ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ (ଏଆଇୟୁ) ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୨୨ରେ ସମଗ୍ର ବିଶ୍ୱରେ ୪୭୩ଟି ଡୋପିଂ ମାମଲା ସାମ୍ନାକୁ ଆସିଛି। ରୁଷିଆ ଓ ଭାରତ ପଛକୁ ୫୩ ଡୋପିଂ ମାମଲା ସହ କେନିଆ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ମରକ୍କୋ (୨୭) ଓ ଚାଇନା (୨୪) ତାଲିକାର ଟପ୍‌-୫ ଦେଶ ମଧ୍ୟରେ ରହିଛନ୍ତି। ୟୁକ୍ରେନ୍‌ ଓ ଇଟାଲୀର ୧୭ ଜଣ ଲେଖାଏ ଏବଂ ଦକ୍ଷିଣ ଆଫ୍ରିକା ଓ ଇଥିଓପିଆରୁ ୧୨ ଜଣ ଲେଖାଏ ଖେଳାଳି ଏଥିରେ ସାମିଲ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା (୧୧), ବ୍ରାଜିଲ (୧୧), କାଜାଖସ୍ତାନ (୧୦), ବେଲାରୁଷ(୯), ବ୍ରୁନେଇ(୮), ଫ୍ରାନ୍ସ(୭) ଓ ଇରାନ୍‌(୬) ଏହି ତାଲିକାରେ ପଛକୁପଛ ରହିଛନ୍ତି।
ମହିଳାଙ୍କ ତୁଳନାରେ ପୁରୁଷ ଆଗରେ: ଡୋପିଂ ମାମଲାରେ ମହିଳା ଆଥ୍‌ଲେଟଙ୍କ ତୁଳନାରେ ପୁରୁଷମାନେ ଆଗରେ ରହିଛନ୍ତି। ସମଗ୍ର ବିଶ୍ୱରେ ୨୮୬ ଜଣ ପୁରୁଷ ଓ ୧୮୮ ଜଣ ମହିଳା ଖେଳାଳି ଶକ୍ତିବର୍ଦ୍ଧକ ନେଇ ଧରାପଡିଛନ୍ତି। ସେହିପରି ଭାରତରେ ୪୫ ଜଣ ପୁରୁଷ ଖେଳାଳି ଓ ୧୭ ଜଣ ମହିଳା ଖେଳାଳି ଡୋପିଂ ମାମଲାରେ ଦଣ୍ଡିତ ହୋଇଛନ୍ତି।
କେଉଁ ବର୍ଗରେ କେତେ ଖେଳାଳି: ସମସ୍ତ ବର୍ଗର ଖେଳାଳି ପ୍ରାୟତଃ ଡୋପିଂରେ ସାମିଲ ଅଛନ୍ତି। ତେବେ ଧାବିକା/ଧାବକମାନଙ୍କ ସମ୍ପୃକ୍ତି ଅଧିକ। ଡୋପିଂ ମାମଲାର ୩୩ ପ୍ରତିଶତ ଦୂରଗାମୀ ଧାବିକା/ଧାବକ ସାମିଲ ଥିବା ବେଳେ ମଧ୍ୟମ ଦୂରଗାମୀ ଧାବକ ବର୍ଗରୁ ୧୦ ପ୍ରତିଶତ ଆଥଲେଟ ସାମିଲ ଅଛନ୍ତି। ଅନ୍ୟ ପକ୍ଷରେ ସମଗ୍ର ମାମଲାର ୨୧ ପ୍ରତିଶତ ସ୍ପ୍ରିଣ୍ଟର ଡୋପିଂ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ସମଗ୍ର ବିଶ୍ୱରେ ୧୫୮ ଜଣ ଦୂରଗାମୀ ଆଥଲେଟ ଡୋପିଂ ଜାଲରେ ଥିବାବେଳେ ଭାରତରେ ଏହି ସଂଖ୍ୟା ମାତ୍ର ୪ ରହିଛି। ମଧ୍ୟମ ଦୂରଗାମୀ ଆଥଲେଟଙ୍କ କ୍ଷେତ୍ରରେ ବିଶ୍ୱରେ ୪୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଭାରତୀୟଙ୍କ ସଂଖ୍ୟା ୭ ରହିିଛି। ସ୍ପ୍ରିଣ୍ଟ୍‌ରେ ସମଗ୍ର ବିଶ୍ୱରେ ୧୧୩ ମାମଲା ସାମ୍ନାକୁ ଆସିଥିବା ବେଳେ ଭାରତରେ ଏହାର ସଂଖ୍ୟା ୨୧। ହାମର୍‌ ଥ୍ରୋରେ ସମଗ୍ର ବିଶ୍ୱରେ ୨୦ ମାମଲା ରହିଛି। ଏଥିରେ ଭାରତର ୭ ସାମିଲ। ଶଟ୍‌ପୁଟ୍‌ରେ ବିଶ୍ୱରେ ୧୯ ଖେଳାଳି ଡୋପିଂରେ ଫସିଛନ୍ତି। ଭାରତରେ ଏହାର ସଂଖ୍ୟା ୩ ରହିଛି। ଥ୍ରୋ ଇଭେଣ୍ଟରେ ବିଶ୍ୱରେ ୧୭ ଓ ଭାରତର ୫ ଆଥଲେଟ ଡୋପିଂ ମାମଲାରେ ଧରାପଡିଛନ୍ତି। ଓ୍ବାକିଂ ଇଭେଣ୍ଟରେ ବିଶ୍ୱରେ ୧୬ ଜଣଙ୍କ ମଧ୍ୟରେ ଭାରତର ୨ ଆଥଲେଟ ଡୋପ୍‌ ମାମଲାରେ ରହିଛନ୍ତି। ଡିସ୍‌କସ୍‌, ଜାଭେଲିନ୍‌ ଓ ଲଙ୍ଗଜମ୍ପରେ ବିଶ୍ୱରେ ୭, ୯ ଓ ୭ ଜଣ ଆଥଲେଟ ଧରାପଡିଥିବା ବେଳେ ଭାରତରେ ଯଥାକ୍ରମେ ୨, ୪ ଓ ୧ ଜଣ ଆଥଲେଟ ଶକ୍ତିବର୍ଦ୍ଧକ ବ୍ୟବହାର କରିଛନ୍ତି। ସେହିପରି ଟ୍ରିପଲ ଜମ୍ପ, ହାଇ ଜମ୍ପ ଓ ଲଙ୍ଗ ଜମ୍ପରେ ବିଶ୍ୱରେ ୬ ଜଣ ଆଥଲେଟ ଧରାପଡିଛନ୍ତି। ଏହା ମଧ୍ୟରେ ଭାରତର ୪ ଜଣ ରହିଛନ୍ତି। ଜମ୍ପ ଓ ଷ୍ଟିପଲଚେଜ୍‌ରେ ବିଶ୍ୱରୁ ୫ ଓ ଭାରତରୁ ଜଣେ ଆଥଲେଟ ଧରାପଡିଛନ୍ତି।
ଦଣ୍ଡବିଧାନ: ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ଡୋପିଂ ପାଇଁ ଅଲଗା ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ତେବେ ଭାରତରେ ଏ ନେଇ ୪ ବର୍ଷର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ପ୍ରଥମ ଥର ଦୋଷୀସାବ୍ୟସ୍ତ ହେଲେ ୪ ବର୍ଷ ଦଣ୍ଡ ହୋଇଥାଏ। ତେବେ ଯଦି ୨୦ ଦିନ ମଧ୍ୟରେ କେହି ଦୋଷ ସ୍ବୀକାର କରିନିଅନ୍ତି ତେବେ ଏହାକୁ ୩ ବର୍ଷକୁ ହ୍ରାସ କରାଯାଏ। କୌଣସି ଆଥଲେଟ ଯଦି ଦ୍ୱିତୀୟ ଥର ଡୋପିଂ ମାମଲାରେ ଧରାପଡନ୍ତି ତେବେ ତାଙ୍କୁ ଆଜୀବନ ବାସନ୍ଦ କରାଯାଏ। ଭାରତରେ ୫୬ ପ୍ରତିଶତ ଆଥଲେଟଙ୍କୁ ୪ ବର୍ଷର ବାସନ୍ଦାଦେଶ ଦଣ୍ଡ ମିଳିଛି। ବିଶ୍ୱରେ ଏହା ୮୩ ପ୍ରତିଶତ। ବିଶ୍ୱରେ ୩୬ ଜଣ ଆଥଲେଟଙ୍କୁ ଆଜୀବନ ବାସନ୍ଦ କରାଯାଇଥିବା ବେଳେ ଭାରତର କେବଳ ଜଣେ ହାମର ଥ୍ରୋୟର ଜିତେନ୍ଦର ସିଂ ଏହି ତାଲିକାରେ ରହିଛନ୍ତି।
ବ୍ୟବହୃତ ଶକ୍ତିବର୍ଦ୍ଧକ: ଆଥଲେଟ ମାନେ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ନାନା ପ୍ରକାରର ଷ୍ଟେରଏଡ୍‌ ବ୍ୟବହାର କରିଥାନ୍ତି। ଇପିଓ, ନୋରାଣ୍ଡ୍ରୋଷ୍ଟେରୋନ୍‌, ଅକ୍ସାଣ୍ଡ୍ରୋଲୋନ, ମେଟାଣ୍ଡିଏନୋନ୍‌, ଷ୍ଟାନୋଜୋଲୋଲ, ଡ୍ରୋଷ୍ଟାନୋଲୋନ, ମେଥାଣ୍ଡିନିଓନ୍‌ ଓ ମେଟେନୋଲୋନ ପରି ଶକ୍ତିବର୍ଦ୍ଧକ ଏହା ମଧ୍ୟରେ ସାମିଲ।
ଇପିଓ: ଶରୀରରେ ଆର୍‌ବିସି କାଉଣ୍ଟ ବଢ଼ାଇବା ପାଇଁ ଇପିଓ ବ୍ୟବହାର କରାଯାଇଥାଏ। ସମଗ୍ର ବିଶ୍ୱର ୪୧ ଓ ଭାରତର ୩ ଜଣ ଆଥଲେଟ ଏହି ଶକ୍ତିବର୍ଦ୍ଧକ ବ୍ୟବହାର କରି ଧରାପଡିଛନ୍ତି।
ନୋରାଣ୍ଡ୍ରୋଷ୍ଟେରୋନ୍‌: ଏହି ଷ୍ଟେରଏଡ୍‌କୁ ୩୦ ବର୍ଷ ହେବ ବାରଣ କରାଯାଇଛି। ଏହା ଏକ ଆନାବୋଲିକ୍‌ ଷ୍ଟେରଏଡ୍‌। ଏହାକୁ ଆନେମିଆ, କ୍ୟାନ୍ସର ପରି ଔଷଧରେ ବ୍ୟବହାର କରାଯାଉଥିବା ବେଳେ ଶକ୍ତିଶାଳୀ ମାଂସପେଶୀ ପାଇଁ କିଛି ଆଥଲେଟ ଏହାର ଉପଯୋଗ କରିଥାନ୍ତି। ବିଶ୍ୱରେ ୩୦ ଓ ଭାରତରେ ୬ ଜଣ ଆଥଲେଟ ଏହା ବ୍ୟବହାର କରିଛନ୍ତି।
ଅକ୍ସାଣ୍ଡ୍ରୋଲୋନ: ଏହି ଆନାବଲିକ୍‌ ଷ୍ଟେରଏଡ୍‌ ଦ୍ୱାରା ହରମୋନ୍‌ ନିୟନ୍ତ୍ରଣ ହୋଇଥାଏ। ଏପରିକି ଓଜନ ବୃଦ୍ଧି ପାଇଁ ମଧ୍ୟ କିଛି ଆଥଲେଟ୍‌ ଏହାର ବ୍ୟବହାର କରିଥାନ୍ତି। ବିଶ୍ୱର ୧୫ ଓ ଭାରତର ୨ ଆଥଲେଟ ଏହାର ବ୍ୟବହାର କରିଛନ୍ତି।
ମେଟାଣ୍ଡିଏନୋନ୍‌: ଏହି ଶକ୍ତିବର୍ଦ୍ଧକଟି ବଜାରରେ ଅତ୍ୟନ୍ତ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାକୁ ଆଣ୍ଡ୍ରୋଜେନ୍‌ ରିସେପ୍ଟର ଭାବରେ ବ୍ୟବହାର କରାଯାଏ।
ଷ୍ଟାନୋଜୋଲୋଲ: ଭାରତରେ ସର୍ବାଧିକ ୭ ଜଣ ଆଥଲେଟ ଏହି ଶକ୍ତିବର୍ଦ୍ଧକକୁ ବ୍ୟବହାର କରିଛନ୍ତି। ଏହା ଶରୀରରେ ଟେଷ୍ଟୋଷ୍ଟେରନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ବିଶ୍ୱର ୨୫ ଆଥଲେଟ ଏହା ବ୍ୟବହାର କରିଛନ୍ତି।
ଡ୍ରୋଷ୍ଟାନୋଲୋନ: ମହିଳାଙ୍କ ସ୍ତନ କ୍ୟାନ୍ସର ଚିକିତ୍ସା ପାଇଁ ଏହାକୁ ଇଞ୍ଜେକ୍ସନ ଭାବରେ ବ୍ୟବହୃତ କରାଯାଇଥାଏ। ମାତ୍ର ଏହା ମାଂଶପେଶୀକୁ ସଶକ୍ତ କରୁଥିବାରୁ ଆଥଲେଟମାନେ ଏହାର ଦୁରୁପଯୋଗ କରିବା ଆରମ୍ଭ କଲେ। ବିଶ୍ୱର ୯ ଓ ଭାରତର ୩ ଆଥଲେଟ ଏହାକୁ ବ୍ୟବହାର କରି ଧରାପଡିଛନ୍ତି।
ମେଥାଣ୍ଡିନିଓନ୍‌: ଶରୀରର ମାଂଶ ପେଶୀକୁ ଶକ୍ତ ଓ ଷ୍ଟାମିନା ବୃଦ୍ଧି ପାଇଁ ଏହି ଷ୍ଟେରଏଡ୍‌ ବ୍ୟବହାର କରାଯାଏ। ପ୍ରୋଟିନ୍‌ ସିନ୍ଥେସିସ୍‌ ତ୍ୱରିତ ହେବା ଦ୍ୱାରା ଶରୀରର କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ବିଶ୍ୱରେ ୭ ଓ ଭାରତରେ ୨ ଜଣ ଆଥଲେଟ ଏହାକୁ ଶକ୍ତିବର୍ଦ୍ଧକ ଭାବରେ ବ୍ୟବହାର କରି ଧରାପଡିଛନ୍ତି।
ମେଟେନୋଲୋନ: ଶରୀରର କ୍ଷମତା ବୃଦ୍ଧି କରିବା ପାଇଁ ଓ ଶରୀରକୁ ଅଧିକ କ୍ଷିପ୍ର କରିବାକୁ ଏହା ବ୍ୟବହାର କରାଯାଇଥାଏ। ଶସ୍ତା ଥିବାରୁ ବିଶ୍ୱର ଅନ୍ୟ ସ୍ଥାନ ଅପେକ୍ଷା ଭାରତରେ ଏହା ଅଧିକ ବ୍ୟବହୃତ। ବିଶ୍ୱର ୫ ଆଥଲେଟଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଏହାକୁ ବ୍ୟବହାର କରିଥିବା ରିପୋର୍ଟରୁ ପ୍ରକାଶ।

Share