ଶାନ୍ତି ବାର୍ତ୍ତା ପାଇଁ ଭାରତ ସବୁଠୁ ଭଲ ସ୍ଥାନ: ମୋଦି ଫେରିବା ପରେ ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୨୬।୮: ଗତ ଅଢେଇ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଏହି କାରଣରୁ ୟୁକ୍ରେନ ନିରନ୍ତର ଶାନ୍ତି କଥାବାର୍ତ୍ତା ପାଇଁ ଜିଦ ଧରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପରବର୍ତ୍ତୀ ଶାନ୍ତି ଆଲୋଚନା ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ। ଗତ ଥର ସ୍ବିଜରଲ୍ୟାଣ୍ଡରେ ଶାନ୍ତି ଆଲୋଚନା ଆୟୋଜନ କରାଯାଇଥିଲା। ୟୁକ୍ରେନ ଆଶା କରୁଛି, ଏହି ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଫେବୃଆରୀ ୨୦୨୨ରୁ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଯିବ।
ଜେଲେନସ୍କିଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ୟୁକ୍ରେନ ଗସ୍ତ ଶେଷ କରି ଭାରତ ଫେରିଛନ୍ତି। ସେ ଟ୍ରେନ ଯୋଗେ ପୋଲାଣ୍ଡରୁ କିଭ୍‌ ଅଭିମୁଖେ ଯାତ୍ରା କରିଥିଲେ ଏବଂ ସେଠାରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ଚାହୁଁଛନ୍ତି ଯେ ଏହି ବିବାଦର ସମାଧାନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରନ୍ତୁ। ସେ କଥାବାର୍ତ୍ତା କରିବାକୁ ଜିଦ ଧରିଥିଲେ। ୟୁକ୍ରେନ ଯିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସେ ଶୀଘ୍ର ଏହି ଦେଶକୁ ଶାନ୍ତି ଫେରିବାକୁ ଚାହୁଁଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମାଧ୍ୟମରେ ଦିଆଯାଇଥିବା ପ୍ରସ୍ତାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହାର କାରଣ ହେଉଛି ଯଦି ଏଠାରେ ଶାନ୍ତି ଆଲୋଚନା ହୁଏ ଏବଂ ଯୁଦ୍ଧ ବନ୍ଦ କରିବାକୁ ଏକ ଚୁକ୍ତିନାମା ହୁଏ, ତେବେ ଏହା ଭାରତ ପାଇଁ କୂଟନୈତିକ ବିଜୟ ବୋଲି ବିବେଚନା କରାଯିବ।
ସୂଚନାନୁସାରେ, ଭାରତ ଏହି ପ୍ରସ୍ତାବ ଉପରେ ନଜର ରଖିଛି। ସେ ମଧ୍ୟ ବୁଢିବାକୁ ଚେଷ୍ଟା କରୁଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିରେ କେତେ ସହମତ ହେବେ। ସେ ଶାନ୍ତି ଆଲୋଚନାରେ ଭାଗ ନେବାକୁ ଭାରତ ଆସିବେ କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି।

 

Share