Categories: ଖେଳ

ଭାରତ ଚାମ୍ପିୟନ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୦ ଗୋଲରେ ଲେବାନନ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ଅଧିନାୟକ ସୁନୀଲ ଛେତ୍ରୀ ଏବଂ ୬୬ତମ ମିନିଟ୍‌ରେ ଲାଲିଆଞ୍ଜୁଲା ଚାଙ୍ଗ୍‌ଟେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ, ମହାସଚିବ ଶାଜି ପ୍ରଭାକରନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରା ପଦକ ଓ ଅନ୍ୟ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଓ କ୍ରୀଡ଼ା ବିଭାଗର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଭାରତୀୟ ଦଳପାଇଁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ”ସମ୍ମାନଜନକ ଇଣ୍ଟରକଣ୍ଟିନେଣ୍ଟଲ କପ୍‌ ଆୟୋଜନ କରିବା ଆମ ରାଜ୍ୟପାଇଁ ଗୌରବର କଥା। କଡ଼ା ଚ୍ୟାଲେଞ୍ଜ ପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ। ଅଧିକରୁ ଅଧିକ ଫୁଟବଲ ଇଭେଣ୍ଟ ଓଡ଼ିଶାରେ ଆୟୋଜନ ସହ ରାଜ୍ୟ ଏବଂ ଭାରତରେ ଏହି କ୍ରୀଡ଼ାର ବିକାଶ ଆମର ଅଭିଳାଷ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଚାମ୍ପିୟନ ଭାରତୀୟ ଦଳକୁ ୫୦,୦୦୦ ଆମେରିକୀୟ ଡଲାର (୪୧ ଲକ୍ଷ ଟଙ୍କା), ରନରଅପ୍‌ ଲେବାନନକୁ ୨୫,୦୦୦ ଆମେରିକୀୟ ଡଲାର (୨୦ ଲକ୍ଷ ୪୮ହଜାର)ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ସେହିପରି ହିରୋ ଅଫ୍‌ ଦି ଟୁର୍ନାମେଣ୍ଟ ସନ୍ଦେଶ ଝିଙ୍ଗାନ୍‌ଙ୍କୁ ୧,୫୦,୦୦୦ଟଙ୍କା ପୁରସ୍କୃତ କରାଯାଇଥିଲା। ଗୋଟିଏ ଗୋଲ ସ୍କୋର କରିବା ସହ ଅନ୍ୟ ଗୋଲଟିରେ ଆସିଷ୍ଟ କରିଥିବା ଚାଙ୍ଗ୍‌ଟେ ହିରୋ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

Share