ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି।  ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଭାରତକୁ ଏସିଆର ମଧ୍ୟମ ଶକ୍ତି ବୋଲି ଦର୍ଶାଯାଇଛି।

ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଲୋଓ୍ବ ଇନଷ୍ଟିଚ୍ୟୁଟ ଏସିଆ ପାୱାର ଇଣ୍ଡେକ୍ସରେ ୨୬ଟି ଦେଶର ତାଲିକା ପ୍ରକାଶ କରିଛି। ପ୍ରାକୃତିକ ସମ୍ପଦ ଏବଂ ପ୍ରଭାବ ଉପରେ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଚାଇନା ଅଛି।

ସେହିପରି ତୃତୀୟ ସ୍ଥାନରେ ଜାପାନ, ପଞ୍ଚମରେ ରୁଷିଆ ରହିଛି। ଏହା ପଛକୁ ଷଷ୍ଠରେ ଅଷ୍ଟ୍ରେଲିଆ, ସପ୍ତମରେ ଦକ୍ଷିଣ କୋରିଆ, ଅଷ୍ଟମରେ ସିଙ୍ଗାପୁର, ନବମରେ ଇଣ୍ଡୋନେସିଆ ଏବଂ ଦଶମରେ ଥାଇଲ୍ୟାଣ୍ଡ ରହିଛି। ଭାରତ ରୁଷିଆଠାରୁ ପାଦେ ଆଗରେ ରହିଛି।

ରିପୋର୍ଟ ଅନୁଯାୟୀ, ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ ଭାବରେ ୨୦୨୧ ମସିହାରେ ଭାରତ ପୁଣିଥରେ ପ୍ରମୁଖ ଶକ୍ତିରେ ପରିଣତ ହୋଇଛି। ୨୦୨୦ ତୁଳନାରେ ଏହାର ସାମଗ୍ରିକ ସ୍କୋରରେ ଦୁଇଟି ପଏଣ୍ଟ ହ୍ରାସ ପାଇଛି। କରୋନାଭାଇରସ ମହାମାରୀର ପ୍ରଭାବ ଯୋଗୁ ଭାରତ ପାଇଁ ଅଭିବୃଦ୍ଧି ସମ୍ଭାବନା ୨୦୩୦ ପାଇଁ ଆର୍ଥିକ ପୂର୍ବାନୁମାନ କ୍ଷେତ୍ରରେ ହ୍ରାସ ପାଇଛି ବୋଲି ଲୋଓ୍ବ ଇନଷ୍ଟିଚ୍ୟୁଟ କହିଛି।

ପ୍ରତିରକ୍ଷା ନେଟୱାର୍କ ଦୃଷ୍ଟିରୁ ଭାରତ ସପ୍ତମ ସ୍ଥାନରେ ରହିଛି। ଅର୍ଥନୈତିକ ସମ୍ପର୍କ ଦୃଷ୍ଟିରୁ ଭାରତ ଅଷ୍ଟମ ସ୍ଥାନକୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share