Categories: ଜାତୀୟ

ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ

ନୂଆଦିଲ୍ଲୀ,୨୦।୩: ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ବାର୍ଷିକ ପିଏମ୍‌୨.୫ ସାନ୍ଧ୍ରତା ଘନମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ଥିଲା, ଯାହାକି ୧୩୪ ଦେଶ ମଧ୍ୟରୁ ତୃତୀୟ ନିକୃଷ୍ଟ। ବାଂଲାଦେଶର ପିଏମ୍‌୨.୫ ସାନ୍ଧ୍ରତା ୭୯.୯ ମାଇକ୍ରୋଗ୍ରାମ ହୋଇଥିବାବେଳେ ପାକିସ୍ତାନର ୭୩.୭ ମାଇକ୍ରୋଗ୍ରାମ। ୨୦୨୨ରେ ଭାରତ ୫୩.୩ ମାଇକ୍ରୋଗ୍ରାମ ପିଏମ୍‌୨.୫ ସାନ୍ଧ୍ରତା ସହ ପ୍ରଦୂଷିତ ସହର ତାଲିକାର ଅଷ୍ଟମ ସ୍ଥାନରେ ରହିଥିଲା।
ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ଭାରତର ୪୨ଟି ରହିଛି। ବିହାରର ବେଗୁସରାଇ ସବୁଠୁ ପ୍ରଦୂଷିତ ମେଟ୍ରୋପଲିଟାନ ଅଞ୍ଚଳ ହୋଇଥିବାବେଳେ ଏହା ପଛକୁ ଗୁଆହାଟୀ ଏବଂ ଦିଲ୍ଲୀ ରହିଛି। ଗତବର୍ଷ ବେଗୁସରାଇରେ ପ୍ରତି ଘନମିଟର ବାୟୁରେ ହାରାହାରି ପିଏମ୍‌୨.୫ ୧୧୮.୯ ମାଇକ୍ରୋଗ୍ରାମ ରହିଥିଲା। ୨୦୨୨ରେ ଉକ୍ତ ସହରର ପିଏମ୍‌୨.୫ ସାନ୍ଧ୍ରତା ଥିଲା ୧୯.୭ ମାଇକ୍ରୋଗ୍ରାମ। ସେହିପରି ଗୁଆହାଟୀର ପିଏମ୍‌୨.୫ ସାନ୍ଧ୍ରତା ପୂର୍ବବର୍ଷ ୫୧ରୁ ବଢ଼ି ୧୦୫.୪ ମାଇକ୍ରୋଗ୍ରାମ ହୋଇଥିବାବେଳେ ଦିଲ୍ଲୀରେ ଏହା ୮୯.୧ରୁ ୯୨.୭ ମାଇକ୍ରୋଗ୍ରାମକୁ ବୃଦ୍ଧି ପାଇଛି। ଭାରତର ଅନ୍ୟ ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ରହିଛି ଗ୍ରେଟର ନଏଡ଼ା, ମୁଜାଫରନଗର, ଗୁରୁଗ୍ରାମ, ଦାଦ୍ରି, ପାଟନା, ଫରିଦାବାଦ, ନଏଡ଼ା, ମିରଟ, ଗାଜିଆବାଦ ଏବଂ ରୋହତକ।

Share