Categories: ଜାତୀୟ

ଭାରତରେ ପାକିସ୍ତାନଠାରୁ ବି ଖରାପ ସ୍ଥିତି

ନୂଆଦିଲ୍ଲୀ,୧୯ା୧୦: ସରକାର ଯୋଜନା ପରେ ଯୋଜନା ଗଢ଼ୁଛନ୍ତି। କିନ୍ତୁ ସେଗୁଡ଼ିକର ସୁବିଧା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଦୁର୍ନୀତି ଓ ବାଟମାରଣା ଯୋଗୁ ଭାରତରେ ଅନାହାର ଓ କୁପୋଷଣ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ପ୍ରଣୟନ କରିବା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲେ ହେଁ ଦେଶର ଅବସ୍ଥା ‘ଅତି ଗମ୍ଭୀର’ ରହିଛି। ବିଶ୍ୱ କ୍ଷୁଧା ସୂଚକାଙ୍କ (ଡବ୍ଲ୍ୟୁଏଚ୍‌ଆଇ)୨୦୨୦ର ସଦ୍ୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।
ଶୁକ୍ରବାର ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥାନ ନିମ୍ନରେ ରହିଛି।
୧୦୭ ରାଷ୍ଟ୍ର ମଧ୍ୟରୁ ଭାରତ ୯୪ତମ ସ୍ଥାନରେ ରହିଥିବାବେଳେ ଦେଶର ୧୪% ଜନସଂଖ୍ୟା କୁପୋଷଣର ଶିକାର ହୋଇଥିବା ଏଥିରେ କୁହାଯାଇଛି। ଗତବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କର ୧୦୨ତମ ସ୍ଥାନରେ ଭାରତ ରହିଥିବାବେଳେ ଏଥର ୮ ପାଦ ଆଗକୁ ବଢ଼ିଛି। ଏହାସତ୍ତ୍ୱେ ଭାରତର ସ୍ଥାନ ‘ଅତି ଗମ୍ଭୀର’ ବର୍ଗରେ ରହିଛି। ପାକିସ୍ତାନ ୮୮ତମ ସ୍ଥାନରେ ଥିବାବେଳେ ନେପାଳ ୭୩, ବାଂଲାଦେଶ ୭୫, ଶ୍ରୀଲଙ୍କା ୬୪, ମ୍ୟାନ୍‌ମାର ୭୮ ଓ ଆଫଗାନିସ୍ତାନ ୯୯ତମ ସ୍ଥାନରେ ରହିଛି। ସାରା ବିଶ୍ୱର କୁପୋଷଣ ସ୍ତରର ଆକଳନ କରି ପ୍ରସ୍ତୁତ କରାଯାଉଥିବା ଏହି ସୂଚକାଙ୍କ ଅନୁଯାୟୀ ନେପାଳ ଓ ଶ୍ରୀଲଙ୍କା ମଧ୍ୟମ କ୍ଷୁଧା ବର୍ଗରେ ଆସୁଛନ୍ତି। ୪ଟି ସୂଚକାଙ୍କକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଶୂନ ସ୍କେଲ୍‌କୁ ଏଥିରେ ସର୍ବୋତ୍କୃତ (କ୍ଷୁଧାମୁକ୍ତ) ବିବେଚନା କରାଯାଇଥିବାବେଳେ ୧୦୦କୁ ସବୁଠୁ ଖରାପ ବୋଲି ଦର୍ଶାଯାଇଛି। ପ୍ରତ୍ୟେକ ଦେଶର ଜିଏଚ୍‌ଆଇ ସ୍କୋରକୁ କ୍ଷୁଧାର ତୀବ୍ରତା ଦୃଷ୍ଟିରୁ ନିମ୍ନରୁ ଅତି ଗମ୍ଭୀର ବର୍ଗ ଭାବେ ବିଭକ୍ତ କରାଯାଇଛି।

Share