Categories: ଖେଳ

ଭାରତ, ଜାପାନ, ଭିଏଟ୍‌ନାମ, ଉଜବେକିସ୍ତାନ ଗୋଟିଏ ଗ୍ରୁପ୍‌ରେ

ନୂଆଦିଲ୍ଲୀ,୧୯ା୫(ପି.ଟି.): ଏଏଫ୍‌ସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ-୨ ଆସନ୍ତା ଅକ୍ଟୋବର ୨୩ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଜାପାନ, ଭିଏଟ୍‌ନାମ ଓ ଆୟୋଜକ ଉଜ୍‌ବେକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ କିରଗିଜ୍‌ ରିପବ୍ଲିକ ବିପକ୍ଷ ଦୁଇ ପାଦ ବିଶିଷ୍ଟ ପ୍ଲେ-ଅଫ୍‌ ୫-୦ ଓ ୪-୦ ଗୋଲରେ ଜିତି ଭାରତୀୟ ମହିଳା ଫୁଟ୍‌ବଲ ଦଳ ରାଉଣ୍ଡ-୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତ (୬୧ ର଼୍ୟାଙ୍କିଙ୍ଗ) ଗ୍ରୁପ୍‌ ‘ସି’ରେ ସବୁଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ। ଜାପାନ (୧୧) ହେଉଛି ଏହି ଗ୍ରୁପ୍‌ର ସବୁଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଦଳ। ଚଳିତବର୍ଷ ପରବର୍ତ୍ତୀ ଭାଗରେ ଫିଫା ମହିଳା ବିଶ୍ୱକପ୍‌ରେ ପଦାର୍ପଣ କରିବାକୁ ଥିବା ଭିଏଟ୍‌ନାମ ଏବଂ ଆୟୋଜକ ଉଜ୍‌ବେକିସ୍ତାନ ଯଥାକ୍ରମେ ଫିଫା ତାଲିକାରେ ୩୩ତମ ଓ ୫୦ ତମ ସ୍ଥାନରେ ଅଛନ୍ତି। କିର୍‌ଗିଜ ରିପବ୍ଲିକ ବିପକ୍ଷ ରାଉଣ୍ଡ-୧ କ୍ୱାଲିଫାୟର ଖେଳିବା ପୂର୍ବରୁ ଭାରତ ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳିଥିବା ଏକମାତ୍ର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଏକ ଇନ୍‌ଜୁରୀ ଟାଇମ୍‌ ଗୋଲ୍‌ ପରେ ୨-୩ ରେ ହାରିଯାଇଥିଲା। ଉଜ୍‌ବେକିସ୍ତାନ ବିପକ୍ଷରେ ଭାରତ ପୂର୍ବରୁ ଖେଳିଥିବା ୩ଟି ମ୍ୟାଚରେ ମାତ୍ର ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ଭାରତ ଶେଷ ଥର ପାଇଁ ଭିଏଟ୍‌ନାମ ବିପକ୍ଷରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ୨୦୧୯ରେ ଖେଳିଥିଲା। ମ୍ୟାଚ ୧-୧ରେ ଅମୀମାଂସିତ ରହିଥିଲା। ଅନ୍ୟପକ୍ଷରେ ଜାପାନ ବିପକ୍ଷରେ ଭାରତର ଗତ ମୁକାବିଲା ୧୯୯୭ ଏସିଆନ ମହିଳା ଚାମ୍ପିୟନଶିପ୍‌ରେ ହୋଇଥିଲା।

Share