Categories: ଖେଳ

ଟି୨୦ ବିଶ୍ୱକପ୍: ସେମିଫାଇନାଲରେ ଭାରତ! ପାଣ୍ଡ୍ୟା-କୁଲଦୀପ ଝଡ଼ରେ ବାଂଲାଦେଶ ଘାଇଲା

ଆଣ୍ଟିଗୁଆ,୨୦ା୬(ପି.ଟି.): ଟି୨୦ ବିଶ୍ୱକପର ସୁପର୍‌-୮ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୫୦ ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା।

ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୬ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା(୨୩) ଓ ବିରାଟ କୋହଲି(୩୭) ପ୍ରଥମ ଉଇକେଟରେ ୩୯ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍‌ କରିଥିଲେ। ଶିବମ ଦୁବେ କ୍ରିଜ୍‌ରେ ଯୋଗ ଦେଇ୨୪ ବଲ୍‌ରୁ ୩୪ ରନ୍‌ କରି ଆଉଟ ହୋଇଥିଲେ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା୨୭ ବଲ୍‌ ଖେଳି ୫୦ ରନ୍‌ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍‌ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ଉଇକେଟ ନେଇଥିଲେ। ୧୯୭ ରନ୍‌ ଲକ୍ଷ୍ୟରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍‌ କରିଥିଲା। ପଞ୍ଚମ ଓଭରରେ ଲିଟନ ଦାସ(୧୩)ଙ୍କୁ ଆଉଟ କରି ପ୍ରଥମ ବ୍ରେକ୍‌ ଥ୍ରୁ ପ୍ରଦାନ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।

ବାଂଲାଦେଶ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ଶନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ରିଶଦ ହୋସେନ ୨୪ ରନ୍‌ କରିଥିଲେ। ଗୋଟିଏ ପଟରୁ ଯଶପ୍ରୀତ୍‌ ବୁମ୍‌ରା କଞ୍ଜୁସ ବୋଲିଯ କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍‌ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ସେ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share