ନୂଆଦିଲ୍ଲୀ,୨୫।୮: ୨୦୨୨ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ। ଆସନ୍ତା ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାପରେ ଦେଶର ସମସ୍ତ ବଡ଼ ଏବଂ ଛୋଟ ସହରରେ ଏହି ସେବା ବିସ୍ତାର କରାଯିବ ବୋଲି ଗୁରୁବାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏଥିସହ ନିଶ୍ଚିତ କରାଯିବ ଯେ, ଏହି ସେବା ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ କୋଣରେ ୫-ଜି ସେବା ଉପଲବ୍ଧ ହେବ। ଯଥାଶୀଘ୍ର ଏହି ସେବା ଆରମ୍ଭ କରିବାକୁ ପ୍ରୟାସ କରାଯାଉଛି। ଟେଲିକମ କମ୍ପାନୀଗୁଡିକ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ସ୍ଥାପନ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।