Categories: ଖେଳ

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୩୦୮ ରନ୍‌ରେ ଆଗୁଆ ରହିଛି। ରବିଚନ୍ଦ୍ରନ ଅଶ୍ୱିନଙ୍କ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ୮୬ ରନ୍‌ ବଳରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍‌ କରିଥିଲା। ଜବାବରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ମାତ୍ର ୧୪୯ ରନ୍‌ରେ ଅଲଆଉଟ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରି ୩ ଉଇକେଟ ହରାଇ ୮୧ ରନ୍‌ କରିଛି। ଭାରତ ହାତରେ ୭ ଉଇକେଟ ରହିଥିବା ବେଳେ ଏହା ୩୦୮ ରନ୍‌ରେ ଆଗୁଆ ରହିଛି।
ଜାଡେଜା-ଅଶ୍ୱିନଙ୍କ ୧୯୯
ପ୍ରଥମ ଦିନର ଅସମାପ୍ତ ସ୍କୋର ୩୩୯/୬ରୁ ଖେଳ ଆରମ୍ଭ କରି ଭାରତ ଆଉ ୩୭ ରନ୍‌ ଯୋଡିଥିଲା। ରବୀନ୍ଦ୍ର ଜାଡେଜା ପୂର୍ବ ଦିନର ସ୍କୋରରେ କୌଣସି ରନ୍‌ ଯୋଡିବା ଆଗରୁ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶ୍ୱିନ ୧୧୩ ଓ ଆକାଶ ଦୀପ୍‌ ୧୭ ରନ୍‌ ସ୍କୋର କରିଥିଲେ। ଲୋକାଲ ବୟ ଅଶ୍ୱିନ ୧୩୩ ବଲ୍‌ ଖେଳି ୧୧ ଚୌକା ଓ ୨ ଛକା ସହ ୧୧୩ ରନ କରିଥିଲେ। ଅନ୍ୟପକ୍ଷରେ ଜାଡେଜା ୧୨୪ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୮୬ ରନରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟମ ଉଇକେଟରେ ୧୯୯ ରନ୍‌ ଯୋଡିଥିଲେ। ବାଂଲାଦେଶ ପକ୍ଷରୁ ହସନ୍‌ ମେହମୁଦ୍‌ ୫ ଉଇକେଟ ନେଇଥିବା ବେଳେ ଟାସ୍କିନ୍‌ ଅହମଦ୍‌ ୩, ମେହିଦୀ ହସନ ମିରାଜ ଓ ନାହିଦ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। କ୍ୟାରିୟରର ଚତୁର୍ଥ ଟେଷ୍ଟ ଖେଳୁଥିବା ହସନ୍‌ ଦ୍ୱିତୀୟ ଥର ପାଇଁ ୫ ଉଇକେଟ ନେଇଛନ୍ତି।
ବୁମ୍‌ରାଙ୍କ ଘାତକ ବୋଲିଂ
ବାଂଲାଦେଶ ଇନିଂସ ଆରମ୍ଭରୁ ପ୍ରଥମ ଓଭରରେ ଶଦମାନ ଇସଲାମଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଆକାଶ ଦୀପ୍‌ ଅଷ୍ଟମ ଓଭରର ଲଗାତର ବଲ୍‌ରେ ଦୁଇଟି ଉଇକେଟ ନେଇ ବାଂଲାଦେଶକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ବାଂଲାଦେଶ ପକ୍ଷରୁ ଶାକିବ୍‌ ଅଲ ହସନ ସର୍ବାଧିକ ୩୨ ରନ୍‌ କରିଥିବା ବେଳେ ମେହିଦୀ ହସନ ମିରାଜ ୨୭, ଲିଟନ୍‌ ଦାସ ୨୨ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ଆକାଶ ଦୀପ୍‌, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ବାଂଲାଦେଶକୁ ଫଲୋଅନ ଡାକରା ନ ଦେଇ ଭାରତ ବ୍ୟାଟିଂ କରିଥିବା ବେଳେ ଷ୍ଟମ୍ପସ ବେଳକୁ ୩ ଉଇକେଟରେ ୮୧ ରନ୍‌ କରିଛି। ଶୁବମାନ ଗିଲ୍‌ ୩୩ ଓ ରିଷଭ ପନ୍ତ ୧୨ ରନ୍‌ରେ ବ୍ୟାଟିଂ କରୁଛନ୍ତି। ବାଂଲାଦେଶ ପକ୍ଷରୁ ଟାସ୍କିନ୍‌ ଅହମଦ୍‌, ନାହିଦ ରାଣା ଓ ମେହିଦୀ ହସନ ମିରାଜ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ ୯୧.୨ ଓଭରରେ ୩୭୬/୧୦(ରବିଚନ୍ଦ୍ରନ ଅଶ୍ୱିନ-୧୧୩, ରବୀନ୍ଦ୍ର ଜାଡେଜା-୮୬, ଯଶସ୍ବୀ ଜୟସ୍ବାଲ-୫୬, ହସନ ମେହମୁଦ-୫/୮୩, ଟାସ୍କିନ ଅହମଦ-୩/୫୫, ମେହିଦୀ ହସନ ମିରାଜ-୧/୭୭, ନାହିଦ୍‌ ରାଣା-୧/୮୨)। ବାଂଲାଦେଶ ପ୍ରଥମ ଇନିଂସ ୪୭.୧ ଓଭରରେ ୧୪୯/୧୦(ଶାକିବ୍‌ ଅଲ ହସନ-୩୨, ମେହିଦୀ ହସନ ମିରାଜ-୨୭, ଲିଟନ୍‌ ଦାସ-୨୨, ଯଶପ୍ରୀତ୍‌ ବୁମ୍‌ରା-୪/୫୦, ଆକାଶ ଦୀପ୍‌-୨/୧୯, ରବୀନ୍ଦ୍ର ଜାଡେଜା-୨/୧୯)।

Share