Categories: ଖେଳ

ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍‌

ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ ୧୯୫ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୧୬୨ ରନ୍‌ରେ ଅଲ୍‌ଆଉଟ ହୋଇ ୩୩ ରନ୍‌ରେ ହାରି ଯାଇଥିଲା। ନମନ ଓଝା ୭୧ ବଲ ଖେଳି ୧୦୮ ରନ୍‌ରେ ଅପରାଜିତ ରହିଥିଲେ। ଓଝାଙ୍କ ଇନିଂସରେ ୧୫ ଚୌକା ଓ ୨ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ବିନୟ କୁମାର ୩୬ ଓ ଯୁବରାଜ ସିଂ ୧୯ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁଆନ୍‌ କୁଲଶେକରା ୩ ଓ ଇସୁରୁ ଉଡାନା ୨ ଉଇକେଟ ନେଇଥିଲେ। ଜବାବରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହିତ ଶ୍ରୀଲଙ୍କା୧୮.୫ ଓଭରରେ ୧୬୨ ରନ୍‌ରେ ସୀମିତ ରହିଥିଲା। ଇଶାନ ଜୟରତ୍ନେ ସର୍ବାଧିକ ୫୧ ରନ୍‌ କରିଥିଲେ। ୨୨ ବଲର ଏହି ଇନିଂସରେ ୪ଚୌକା ଓ ୪ ଛକା ସାମିଲ ଥିଲା। ମାହେଲା ଉଦାଓ୍ବତେ ୨୫ ରନ୍‌ କରିଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ବିନୟ କୁମାର ୩ ଉଇକେଟ, ଅଭିମନ୍ୟୁ ମିଥୁନ୍‌ ୨ ଉଇକେଟ ନେଇଥିଲେ।

Share