ଟିକା ନ ଆସିଲେ ଭାରତରେ ପ୍ରତିଦିନ ଦେଖାଦେବେ ୩ ଲକ୍ଷ ନୂଆ ସଂକ୍ରମିତ !

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୭: ଆମେରିକାରେ ପ୍ରତିଷ୍ଠିତ ମାସାଚ୍ୟୁଏଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ବିଶେଷଜ୍ଞମାନେ ଦାବି କରିଛନ୍ତି କି ଯଦି କରୋନା ଭାଇରସର ଟିକା ନ ମିଳିବ ତେବେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ। ଟିକା ନ ଆସିଲେ ୨୦୨୧ ବର୍ଷାଋତୁର ଶେଷ ବେଳକୁ ଭାରତରେ ପ୍ରତିଦିନ ୨.୮୭ଲକ୍ଷ ବା ପାଖାପାଖି ୩ ଲକ୍ଷ ନୂଆ ସଂକ୍ରମିତ ଦେଖାଦେବେ। କୋଭିଡ-୧୯କୁ ନେଇ ବିଶେଷଜ୍ଞମାନେ ଏକ ମଡେଲ ତିଆରି କରିଥିଲେ ଯେଉଁଥିରେ କରୋନା ସଂକ୍ରମଣରେ ଭାରତ ଆମେରିକାକୁ ବି ପଛରେ ପକାଇ ଦେବ ବୋଲି ସେମାନେ କହିଛନ୍ତି। ଏମ୍‌ଆଇଟିର ବିଶେଷଜ୍ଞମାନେ ପ୍ରାୟ ୮୪ ଦେଶର ଭରସାଯୋଗ୍ୟ ତଥ୍ୟ ଆଧାରରେ ଉକ୍ତ ମଡେଲ ତିଆରି କରିଥିବା କହିଛନ୍ତି। ଆସନ୍ତାବର୍ଷ ବର୍ଷା ଋତୁ ଶେଷ ବେଳକୁ ଭାରତ କରୋନା ସଂକ୍ରମଣର ଶୀର୍ଷରେ ଥିବା ବେଳେ ଏହା ତଳକୁ ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ, ଇଣ୍ଡୋନେସିଆ, ବ୍ରିଟେନ, ନାଇଜେରିଆ, ତୁର୍କି, ଫ୍ରାନ୍ସ ଓ ଜର୍ମାନୀ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ପୂର୍ବାନୁମାନ କେବଳ ସମ୍ଭାବିତ ସମସ୍ୟା ସମ୍ପର୍କରେ ସୂଚନା ଦେଇଥାଏ ନୁହେଁକି ଭବିଷ୍ୟବାଣୀ କରିଥାଏ। ତେବେ କଡାକଡି ଭାବେ ପରୀକ୍ଷା ଓ ସଂକ୍ରମିତଙ୍କଠାରୁ ଦୂରେଇ ରହିଲେ ସଂକ୍ରମଣ କମ୍‌ କରାଯାଇ ପାରିବ। ହେଲେ ବେପରୁଆ ମନୋଭାବ ଓ ସମ୍ଭାବିତ ତଥ୍ୟକୁ ଅଣଦେଖା କଲେ ମହାମାରୀ ଭୟଙ୍କର ରୂପ ଧାରଣ କରିପାରେ। ଏବେ ଭାରତରେ ଟେଷ୍ଟ ସଂଖ୍ୟା କମ୍‌ ଥିବାରୁ ଏହାମଧ୍ୟ ଏକ ଚିନ୍ତାର କାରଣ ବୋଲି କହିଛନ୍ତି ଏମ୍‌ଆଇଟିର ବିଶେଷଜ୍ଞ ଦଳ। ଏବେ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ୭,୭୮୨ ଜଣଙ୍କର ଟେଷ୍ଟ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି।

Share