ସାଉଥାମ୍ପଟନ, ୨୩।୫ : ଆସନ୍ତା ଜୁନ ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍ ଲାଗି ବ୍ୟବହୃତ ହେବାକୁ ଥିବା ପିଚ୍ ଯଦି ପେସରଙ୍କୁ ସୁହାଏ, ତେବେ ଟିମ୍ ଇଣ୍ଡିଆ ସଂଘର୍ଷ କରିବ। ଏଭଳି ମତ ରଖିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର।
“ ବର୍ତ୍ତମାନ ୟୁକେରେ ବର୍ଷା ଓ ଥଣ୍ଡା ପାଗ ରହିଛି। ଯଦି ପାଗ ଏଭଳି ରୁହେ, ତେବେ ଟିମ୍ ଇଣ୍ଡିଆ ଅପେକ୍ଷା ନ୍ୟୁଜିଲାଣ୍ଡ ଫାଇଦାରେ ରହିବ। କାରଣ ନ୍ୟୁଜିଲାଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ସୁଇଙ୍ଗ ବଲ ଆଗରେ ଭଲ ଖେଳନ୍ତି। ବଲ ସୁଇଙ୍ଗ କରୁଥିବାବେଳେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କେଉଁ ଭଳି ଖେଳୁଛନ୍ତି, ତାହା ଦେଖିବା କୌତୁହଳପୂର୍ଣ୍ଣ ହେବ। କିନ୍ତୁ ମ୍ୟାଚ୍ବେଳେ ସାଉଥାମ୍ପଟନର ପୋର୍ଟ ସିଟିରେ ଖରା ପାଗ ରହିଲେ, ପୂରା ଫାଇଦାରେ ରହିବ ଭାରତୀୟ ଦଳ। ଖରା ହେଲେ ଟିମ୍ ଇଣ୍ଡିଆ ଦୁଇ ସ୍ପିନର (ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ)ଙ୍କ ସହ ୫ ବୋଲରଙ୍କୁ ନେଇ ମ୍ୟାଚ୍କୁ ଓହ୍ଲାଇବ। ଏଣୁ ପାଗ ଉପରେ ବହୁତ କିଛି ନିର୍ଭ କରିବ” ବୋଲି ୟୁକେରୁ ଫୋନ ଯୋଗେ ପାନେରସ କହିଛନ୍ତି।