ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ ମ୍ୟାଚ୍ରେ ଭାରତକୁ ୧-୨ ଗୋଲରେ ହରାଇ ଦେଇଛି ଆର୍ଜେଣ୍ଟିନା। ପରାଜୟ ସହ ସ୍ବର୍ଣ୍ଣ ପଦକ ହାତେଇବାର ଆଶା ଅଧୁରା ରହିଛି। କିନ୍ତୁ ଏବେ ମଧ୍ୟ ଉଜ୍ଜୀବିତ ରହିଛି ପଦକ ଆଶା। ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବ୍ରୋଞ୍ଜ ପଦକ ପାଇଁ ପରବର୍ତ୍ତୀ ମୁକାବିଲା ଖେଳିବ।
ଅଷ୍ଟ୍ରେଲିଆ ମ୍ୟାଚ୍ରେ ଭାରତ ଲାଗି ସ୍କୋର କରିଥିବା ଗୁରଜୀତ କୌର (ଦ୍ୱିତୀୟ ମିନିଟ୍) ଏଥର ମଧ୍ୟ ଗୋଲ ଦେଇଥିଲେ। କିନ୍ତୁ ଭାରତୀୟ ଡିଫେନ୍ସରେ ଖେଳାଳିଙ୍କ କ୍ରମାଗତ ତ୍ରୁଟି ପାଲଟିଥିଲା ଭାରତୀୟ ଦଳର ପରାଜୟର କାରଣ। ଦ୍ୱିତୀୟ କ୍ୱାର୍ଟରରେ ସ୍କୋର ଲାଇନକୁ ବରାବର କରିଦେଇଥିଲା ଆର୍ଜେଣ୍ଟିନା। ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ଅଗ୍ରଣୀ ମିଳିଥିଲା। ଏହାକୁ ପରିଶୋଧ କରିବାକୁ ଟିମ୍ ଇଣ୍ଡିଆର ଖେଳାଳିମାନେ ଖୁବ୍ ପ୍ରୟାସ କରିଥିଲେ। ମଧ୍ୟ ସଫଳତା ହାତରେ ଲାଗି ନ ଥିଲା।