Categories: ଖେଳ

ବାଂଲାଦେଶକୁ ହରାଇଲା ଭାରତ

ହାଙ୍ଗଝୋ,୨୨ା୯(ପି.ଟି.):ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସ ଫୁଟବଲରେ ବାଂଲାଦେଶକୁ ପରାସ୍ତ କରି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି ଭାରତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ବଳରେ ଶୁକ୍ରବାର ଭାରତ ୧-୦ରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମ ମ୍ୟାଚରେ ଚାଇନା ନିକଟରୁ ୫-୧ରେ ପରାଜିତ ହେବା ପରେ ଦୃଢ ଭାବେ ପ୍ରତ୍ୟାବର୍ତ୍ତନ କରିଛି ଭାରତ। ୩୯ ବର୍ଷୀୟ ଛେତ୍ରୀ ମ୍ୟାଚ୍‌ର ୮୫ ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଯାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭାରତ ଏହାର ଅନ୍ତିମ ମ୍ୟାଚ୍‌ରେ ମ୍ୟାନମାରକୁ ଭେଟିବ। ଏହି ମ୍ୟାଚରେ ବିଜୟୀ ହେଲେ ଦଳ ନକ୍‌ଆଉଟରେ ପ୍ରବେଶ କରିବ।
ଶୁକ୍ରବାର ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହିତ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲା। ଆୟୁଷ ଦେବ ଛେତ୍ରୀ ଓ ରାହୁଲ କେପିଙ୍କ ମିଳିତ ଉଦ୍ୟମରେ ଭାରତୀୟ ଦଳ ଏକାଧିକ ସୁଯୋଗ ପାଇଥିଲା। ଆୟୁଷଙ୍କ ଏକ ପାଶ୍‌ ବକ୍ସର ୬ ୟାର୍ଡ ଦୂରରେ ଛେତ୍ରୀଙ୍କ ନିକଟକୁ ଆସିଥିଲା। ଛେତ୍ରୀଙ୍କ ଶଟ୍‌କୁ ବାଂଲାଦେଶ ଗୋଲକିପର ଅଟକାଇବାରେ ସମର୍ଥ ହୋଇଥିଲେ। ଉଭୟ ଦଳର ମିଡଫିଲ୍ଡର ମାନେ ଖେଳର ଅଧିକାଂଶ ସମୟ ନିୟନ୍ତ୍ରଣରେ ରଖିଥିଲେ। ୪୦ ତମ ମିନିଟରେ ଭାରତକୁ ମିଳିଥିବା କର୍ନରକୁ ଚିଙ୍ଗଲସେନା ସିଂ ହେଡର କରିଥିଲେ ମଧ୍ୟ ବାଂଲା ଗୋଲି ଏହାକୁ ରୋକି ଦେଇଥିଲେ। ତେବେ ୮୫ ତମ ମିନିଟରେ ଛେତ୍ରୀଙ୍କ ଚମତ୍କାର ଗୋଲରେ ଭାରତ ମ୍ୟାଚ୍‌ ଜିତି ନେଇଥିଲା।

Share