Categories: ଖେଳ

ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ, ୨୨।୫: ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିଜୟ ସହ ଏହାର ୟୁରୋପ ଟୁର୍‌ ଆରମ୍ଭ କରିଛି। ଉପ-ଅଧିନାୟକ ଶାରଦାନନ୍ଦ ତିଓ୍ବାରୀଙ୍କ ଡବଲ ଗୋଲ ବଳରେ ଭାରତ ଶୁଟ୍‌ ଆଉଟ ୪-୨ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ବେଲଜିୟମ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ ମ୍ୟାଚର ୩ୟ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ଶାରଦାନନ୍ଦ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରିଥିଲେ। ପ୍ରଥମ କ୍ୱାର୍ଟର ପରି ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ପ୍ରାଧାନ୍ୟ ଅବ୍ୟାହତ ରହିଥିଲା। ୨୭ତମ ମିନିଟରେ ଶାରଦାନନ୍ଦ ଆଉ ଏକ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହି ଗୋଲଟି ମଧ୍ୟ ପେନାଲ୍ଟି ଷ୍ଟ୍ରୋକରୁ ଆସିଥିଲା। ଦ୍ୱିତୀୟାର୍ଦ୍ଧରେ କିନ୍ତୁ ବେଲଜିୟମ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବେଲଜିୟମ ଖେଳାଳି ଭାରତର ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରିଥିଲେ। ସେହିପରି ମ୍ୟାଚ ଶେଷ ହେବାକୁ ଅଳ୍ପ ସମୟ ଥିବାବେଳେ ବେଲଜିୟମ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲା। ଶୁଟ୍‌ଆଉଟ ପର୍ଯ୍ୟାୟରେ ଭାରତ ପକ୍ଷରୁ ଗୁରଜୋତ ସିଂ, ସୌରଭ ଆନନ୍ଦ କୁଶଓ୍ବାହା, ଦିଲରାଜ ସିଂ ଓ ମନମିତ ସିଂ ଗୋଲ ଦେଇଥିଲେ। ଗୋଲକିପର ପ୍ରିନ୍ସ ଦୀପ ସିଂ ୨ଟି ଚମତ୍କାର ସେଭ୍‌ କରି ଭାରତକୁ ବିଜୟୀ କରିଥିଲେ। ବୁଧବାର ନେଦରଲାଣ୍ଡ୍ସର ବ୍ରେଡାଠାରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ବେଲଜିୟମ ବିପକ୍ଷରେ ଖେଳିବ।

Share