Categories: ଖେଳ

ହଂକଂକୁ ୯ ଉଇକେଟରେ ହରାଇଲା ଭାରତ

ମଙ୍ଗ କକ୍‌ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍‌ ମହିଳା ଏମର୍ଜିଂ ଏସିଆ କପ୍‌ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍‌ର ଏକାଧିକ ଖେଳାଳିଙ୍କୁ ନେଇ ଖେଳୁଥିବା ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ମାତ୍ର ୨ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ହଂକଂ ୩୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଭାରତ ୫.୨ ଓଭରରେ ଏକ ଉଇକେଟ ହରାଇ ଆବଶ୍ୟକ ରନ୍‌ କରି ନେଇଥିଲା।
ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ୧୯ ବର୍ଷରୁ କମ୍‌ ଦଳର ଖେଳାଳି ତିତାସ୍‌ ସାଧୁ ଓ ମନ୍ନତ କଶ୍ୟପ ଭାରତ ପାଇଁ ବୋଲିଂ ଆରମ୍ଭ କରିଥିଲେ। ମନ୍ନତ ୨ ଓ ସାଧୁ ଗୋଟିଏ ଉଇକେଟ ନେଇଥିବା ବେଳେ ଅଷ୍ଟମ ଓଭର ବୋଲିଂ କରିଥିଲେ ଆରସିବିର ଷ୍ଟାର ଖେଳାଳି ଶ୍ରେୟଙ୍କା। ପ୍ରଥମ ବଲ୍‌ରୁ ଉଇକେଟ ନେବା ସହିତ ସେ ୩ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ସହିତ ୨ ରନ୍‌ ଦେଇ ୫ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲେ। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟ ମନ୍ନତ କଶ୍ୟପ ଓ ପାର୍ଶଭି ଚୋପ୍ରା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ହଂକଂ ପକ୍ଷରୁ ମାରିକୋ ହିଲ୍‌(୧୪)ଏକମାତ୍ର ଖେଳାଳି ଭାବରେ ଦୁଇ ଅଙ୍କ ସ୍କୋରରେ ପହଞ୍ଚିଥିଲେ। ହଂକଂ ୧୪ ଓଭରରେ ୩୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଭାରତ ୫.୨ ଓଭରରେ ୧ ଉଇକେଟ ହରାଇ ୩୮ ରନ୍‌ କରିଥିଲା। ଶ୍ୱେତା ଶେରାଓ୍ବତ ୨ ରନ୍‌ କରି ଆଉଟ ହୋଇଥିବା ବେଳେ ଉମା ଚେତ୍ରୀ ୧୬ ଓ ଗୋଙ୍ଗାଡି ତ୍ରିଶା ୧୯ରନ୍‌ରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ୧୫ ତାରିଖରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ନେପାଳକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ହଂକଂ ୧୪ ଓଭରରେ ୩୪/୧୦(ମାରିକୋ ହିଲ୍‌-୧୪, ଶ୍ରେୟଙ୍କା ପାଟିଲ-୫/୨, ମନ୍ନତ କଶ୍ୟପ-୨/୨,ପାର୍ଶଭି ଚୋପ୍ରା-୨/୧୨)। ଭାରତ ୫.୨ ଓଭରରେ ୩୮/୧(ଗୋଙ୍ଗାଡି ତ୍ରିଶା-୧୯*, ଉମା ଚେତ୍ରୀ-୧୬*, ବେଟ୍ଟୀ ଚାନ୍‌-୧/୧୫)।

Share