Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ପ୍ରିଟୋରିଆ (ଦକ୍ଷିଣ ଆଫ୍ରିକା), ୨୮ା୧୨ (ପି.ଟି.): ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚକୁ ୫୪ରନରେ ଜିତି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଆସନ୍ତା ଜାନୁୟାରୀ ୧୪ରୁ ୨୯ ଦକ୍ଷିଣ ଆଫ୍ରିକାରେ ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌ ଖେଳାଯିବାକୁ ଥିବା ବେଳେ ପ୍ରସ୍ତୁତି ପାଇଁ ଏହି ସିରିଜର ଆୟୋଜନ କରାଯାଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଓପନର ଶ୍ୱେତା ଶେରାଓ୍ବତ ଓ ସୌମ୍ୟା ତିଓ୍ବାରୀ ଯଥାକ୍ରମେ ୩୯ ଓ ୪୬ ବଲ୍‌ରୁ ୪୦ରନ ଲେଖାଏ ସଂଗ୍ରହ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୧୩୭ ରନ କରିଥିଲା। ମ୍ୟାଚରେ ଭାରତର ଆରମ୍ଭ ଭଲ ନ ଥିଲା। ମ୍ୟାଚର ପ୍ରଥମ ବଲ୍‌ରେ ଅଧିନାୟିକା ଶେଫାଳି ବର୍ମା ଆଉଟ ହୋଇଯାଇଥିଲେ। କିନ୍ତୁ ଦ୍ୱିତୀୟ ଉଇକେଟରେ ଶେରାଓ୍ବତ ଓ ତିଓ୍ବାରୀ ୭୪ ବଲରୁ ୭୦ ରନ ସଂଗ୍ରହ କରି ଭାରତର ମୂଳଦୁଆ ପକାଇଥିଲେ। ଶେରାଓ୍ବତ ତାଙ୍କ ଇନିଂସରେ ୫ ଚୌକା ଲଗାଇଥିବା ବେଳେ ତିଓ୍ବାରି ୩ ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଶେଷ ଭାଗରେ ରିଚା ଘୋଷ (୧୫), ତିତାସ ସାନ୍ଧୁ (୧୩*) ଓ ହାର୍ଲି ଗାଲା (୧୧*)ଙ୍କ ଯୋଗଦାନ ରହିଥିଲା। ଘରୋଇ ଦଳ ପକ୍ଷରୁ କେଲା ରେନେକ୍‌ (୨/୧୩) ଓ ଆୟାଣ୍ଡା ହ୍ଲୁବି (୨/୨୨) ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ନିୟମିତଭାବେ ଉଇକେଟ ହରାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୮୩ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କେବଳ ୩ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିଥିଲେ। ସେମାନେ ହେଲେ କେଲା ରେନେକି (୨୦), ମାଡିସନ ଲାଣ୍ଡ୍ସମ୍ୟାନ (୧୦) ଓ ଜେମା ବୋଥା (୧୦*)।
ଭାରତ ତରଫରୁ ମିଡିୟମ ପେସ୍‌ ବୋଲର ଶବନମ ଶକିଲ (୩/୧୫) ଓ ଅଫ୍‌ ସ୍ପିନର ଅର୍ଚ୍ଚନା ଦେବୀ (୩/୧୪) ଚମତ୍କାର ବୋଲିଂ କରି ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ: ୧୩୭/୫ (ଶ୍ୱେତା ଶେରାଓ୍ବତ-୪୦, ସୌମ୍ୟା ତିଓ୍ବାରୀ-୪୦; କେଲା ରେନେକି-୨/୧୩)। ଦକ୍ଷିଣ ଆଫ୍ରିକା: ୮୩/୮ (କେଲା ରେନେକି-୨୦; ଅର୍ଚ୍ଚନା ଦେବୀ-୩/୧୪)।

Share