Categories: ଖେଳ

ସ୍ପେନ୍‌ଠାରୁ ହାରିଲା ଭାରତ

ଭୁବନେଶ୍ୱର, ୩୧।୧୦,(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଭାରତ ୨-୩ ଗୋଲରେ ସ୍ପେନ୍‌ଠାରୁ ହାରିଯାଇଛି। ପୂରା ମ୍ୟାଚ୍‌ରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲା। ମାତ୍ର ସ୍ପେନ୍‌ ଶେଷରେ ବାଜି ମାରିଥିଲା। ଭାରତ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ଏବଂ ସ୍ପେନ୍‌ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ତେଣୁ ଭାରତ ୨ ମ୍ୟାଚରୁ ପ୍ରଥମ ପରାଜୟ ବରଣ କରିଥିବାବେଳେ ସ୍ପେନ୍‌ ୨ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରିଛି।

ପ୍ରଥମ କ୍ୱାର୍ଟର ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ପ୍ରଭାବୀ ରହିଥିଲା ସ୍ପେନ୍‌। ମ୍ୟାଚ୍‌ର ୧୬ତମ ମିନିଟ୍‌ରେ ଦଳ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଏହାକୁ ଗୋଲରେ ପରିଣତ କରି ସ୍ପେନ୍‌କୁ ଅଗ୍ରଣୀ କରାଇଥିଲେ ଡି ଇଗ୍ନାସିଓ-ସିମୋ ଏଡ୍‌ଆର୍ଡ। ପ୍ରଥମାର୍ଦ୍ଧ ଶେଷହେବାର ୧ ମିନିଟ୍‌ ପୂର୍ବରୁ ସ୍ପେନ୍‌ ଆଉ ଏକ ପେନାଲ୍ଟି କର୍ନରର ସଦୁପଯୋଗ କରି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲା। ଏଥର ଗୋଲ ଦେଇଥିଲେ ମାର୍କ ମିରାଲେସ। ମାତ୍ର ଏହାର କିଛି ସେକେଣ୍ଡ ମଧ୍ୟରେ ଭାରତ ପାଇଥିବା ପେନାଲ୍ଟି କର୍ନରର ସଦୁପଯୋଗ କରିଥିଲା।

ଅଧିନାୟକ ହରମନପ୍ରୀତ ସିଂ ଭାରତ ପକ୍ଷରୁ ଏହି ଗୋଲଟି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷରେ ସ୍ପେନ୍‌ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଚାଲିଥିଲେ ହେଁ ଫିନିଶିଂ ଅଭାବରୁ ଗୋଲ ହୋଇପାରି ନ ଥିଲା। ୪ର୍ଥ କ୍ୱାର୍ଟରରେ ଖେଳ ରୋମାଞ୍ଚକ ହୋଇଥିଲା। ୫୪ତମ ମିନିଟ୍‌ରେ ଅଭିଷେକ ଏକ ଫିଲ୍ଡ ଗୋଲ କରି ମ୍ୟାଚ୍‌କୁ ୨-୨ ସ୍ଥିତିକୁ ନେଇଆସିଥିଲେ। ମାତ୍ର ସ୍ପେନ୍‌ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ଏହାର ୨ ମିନିଟ୍‌ ପରେ ଅର୍ଥାତ୍‌ ୫୬ତମ ମିନିଟ୍‌ରେ ମାର୍କ ରେନେ ଏକ ଗୋଲ ଦେଇ ସ୍ପେନ୍‌କୁ ପୁଣି ଅଗ୍ରଣୀ କରାଇଥିଲେ। ଏହି ଗୋଲ୍‌ଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଖେଳାଳିଙ୍କ ସହ ପରିଚିତ ହେବାପରେ ମ୍ୟାଚ ଆରମ୍ଭ ହୋଇଥିଲା।

 

Share