Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ଇଷ୍ଟ ଲଣ୍ଡନ(ଦକ୍ଷିଣ ଆଫ୍ରିକା), ୨୫ା୧(ପି.ଟି.): ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ମହିଳା ଟି୨୦ ସିରିଜର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୫୬ ରନରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଧିମା ରହିଥିଲା। ପ୍ରଥମ ୧୦ ଓଭରରେ ୨ ଉଇକେଟ ହରାଇ ମାତ୍ର ୬୦ ରନ କରିଥିଲା। ମାତ୍ର ସ୍ମୃତି ଓ ହରମନପ୍ରୀତ ଦଳର ସ୍କୋରକୁ ଆଗେଇ ନେଇଥିଲେ। ସ୍ମୃତି ତାଙ୍କ ୭୪ ରନର ଅପରାଜିତ ଇନିଂସରେ ୫୧ ବଲ୍‌ରୁ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିବା ବେଳେ ହରମନପ୍ରୀତ ୩୫ ବଲ୍‌ରେ ୮ଚୌକା ସହ ୫୬ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ବିନିମୟରେ ୧୬୭ ରନ କରିପାରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ ବିନିମୟରେ ୧୧୧ ରନ କରିଥିଲା। ଦଳ ପକ୍ଷରୁ ସିମେନି କ୍ୟାମ୍ପ୍‌ବେଲ ୪୭ ଓ ହେଲି ମାଥ୍ୟୁସ ୩୪ ରନ କରି ଅପରାଜିତ ରହିଥିଲେ। ଟୁର୍ନାମେଣ୍ଟରେ ଭାରତର ଏହା ହେଉଛି କ୍ରମାଗତ ଦ୍ୱିତୀୟ ବିଜୟ।
ସଂକ୍ଷିପ୍ତ ସ୍କୋର
ଭାରତ ମହିଳା ଦଳ: ୨୦ ଓଭରରେ ୧୬୭/୨ (ସ୍ମୃତି ମନ୍ଧାନା-୭୪*, ହରମନପ୍ରୀତ୍‌ କୌର-୫୬*)। ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ: ୨୦ ଓଭରରେ ୧୧୧/୪ (ସିମେନି କ୍ୟାମ୍ପ୍‌ବେଲ-୪୭, ହେଲି ମାଥ୍ୟୁସ-୩୪*; ଦୀପ୍ତି ଶର୍ମା-୨/୨୪, ରାଧା ଯାଦବ-୧/୧୦)।

Share