Categories: ଖେଳ

ଇତିହାସ ରଚିଲା ଭାରତ

ତ୍ରିନିଦାଦ,୨୪।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ବଡ଼ ରେକର୍ଡ ହୋଇଥିଲା ଏବଂ ଭାଙ୍ଗିଥିଲା ମଧ୍ୟ। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଟି-୨୦ ଭଳି ବ୍ୟାଟିଂ କରିଥିଲେ। ଫଳରେ ଭାରତ ନାଁରେ ଦୁଇଟି ବଡ ରେକର୍ଡ ସୃଷ୍ଟି ହୋଇଥିଲା।
ଦ୍ୱିତୀୟ ଇନିଂସରେ ମାତ୍ର ୧୨.୨ ଓଭରରେ ଟିମ ଇଣ୍ଡିଆ ୧୦୦ ରନ ଛୁଇଁଛି। ଏହା ସହ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦ ରନ ସ୍କୋର କରିବାର ରେକର୍ଡ କରିଛି। ଏହାପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କା ନାମରେ ଥିଲା। ୨୦୦୧ରେ ବାଂଲାଦେଶ ବିପକ୍ଷରେ ୧୩.୨ ଓଭରରେ ଶ୍ରୀଲଙ୍କା ୧୦୦ ରନ ସଂଗ୍ରହ କରିଥିଲା। ଏହି ରେକର୍ଡ ତାଲିକାରେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ୧୯୯୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ୧୩.୩ ଓଭରରେ ୧୦୦ ରନ ସଂଗ୍ରହ କରିଥିଲା।
ଏହାପୂର୍ବରୁ ଭାରତୀୟ ଦଳ ମାତ୍ର ୫.୩ ଓଭରରେ ୫୦ ରନ ସଂଗ୍ରହ କରିଥିଲା। ଟେଷ୍ଟରେ ଦ୍ରୁତତମ ୫୦ ରନ ସ୍କୋର କରିଥିବା ଟିମ ଇଣ୍ଡିଆ ଚତୁର୍ଥ ସ୍ଥାନରେ ରହିଛି। ଏହାପୂର୍ବରୁ ୨୦୦୮ ରେ ମଧ୍ୟ ଟିମ ଇଣ୍ଡିଆ ୫.୩ ଓଭରରେ ଇଂଲଣ୍ଡ ବିପକ୍ଷରେ ୫୦ ରନ ସଂଗ୍ରହ କରିଛି। ଏହି ରେକର୍ଡ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି। ୧୯୯୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪.୩ ଓଭରରେ ଇଂଲଣ୍ଡ ଦଳ ୫୦ ରନ ସଂଗ୍ରହ କରିଥିଲା।
ଦ୍ୱିତୀୟ ଇନିଂସରେ ଯଶସ୍ବୀ ଜୟସ୍ବାଲ ଗୋଟିଏ ଛକା ଓ ଚାରି ଚୌକା ସହ ୩୦ ବଲରେ ଭାରତ ପାଇଁ ୩୮ ରନ ସଂଗ୍ରହ କରିଥିଲେ। ଏଥି ସହିତ ଅଧିନାୟକ ରୋହିତ ଶର୍ମା ୪୪ ବଲରେ ୫୭ ରନ ଖେଳିଥିଲେ। ହିଟମ୍ୟାନ ୫ ଚୌକା ଓ ତିନି ଛକା ମାରିଥିଲେ। ଏହା ପରେ ଇଶାନ କିଶନ ମାତ୍ର ୩୪ ବଲରେ ୫୨ ରନ ସ୍କୋର କରିଥିଲେ। ଇଶାନଙ୍କ ବ୍ୟାଟରୁ ୪ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ସହ ୩୭ଟି ବଲରେ ୨୯ ରନ୍‌ରେ ଶୁବମନ ଗିଲ ଅପରାଜିତ ରହିଥିଲେ।

Share