Categories: ଖେଳ

ଭାରତ, ମାଲେସିଆ ସେମିରେ

ଚେନ୍ନାଇ, ୮।୮: ଭାରତ ଓ ମାଲେସିଆ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୨ ଗୋଲରେ ଦକ୍ଷିଣ କୋରିଆକୁ ହରାଇଥିବାବେଳେ ମାଲେସିଆ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଅନ୍ୟଏକ ମ୍ୟାଚରେ ପାକିସ୍ତାନ ୨-୧ ଗୋଲରେ ଚାଇନାକୁ ହରାଇ ଦେଇଛି। ଭାରତ ପକ୍ଷରୁ ନୀଳକାନ୍ତ ଶର୍ମା ୬, ଅଧିନାୟକ ହରମନପ୍ରୀତ ସିଂ ୨୩ ଓ ମନଦୀପ ସିଂ ୩୩ତମ ମିନିଟରେ ଗୋଲ ଦେଇଥିଲେ। କୋରିଆର କିମ୍‌ ଶ୍ୟୁଙ୍ଗ୍‌ହ୍ୟୁନ ୧୨ ଓ ୟାଙ୍ଗ୍‌ ଜିହୁନ ୫୮ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ଭାରତ ୪ ମ୍ୟାଚରୁ ୩ ବିଜୟ ଓ ୧ ଡ୍ର ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ଅପରିବର୍ତ୍ତିତ ରହିଛି। କୋରିଆ ପରାସ୍ତ ହୋଇଥିଲେ ମଧ୍ୟ ପାକିସ୍ତାନ ସହ ସେମିଫାଇନାଲ ଦୌଡ଼ରେ ରହିଛି। ତେବେ ଅନ୍ତିମ ଲିଗ୍‌ ମ୍ୟାଚ ଏହି ଦୁଇ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଆସନ୍ତା ବୁଧବାର ଭାରତ ଏହାର ଶେଷ ଲିଗ୍‌ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ସେହିଦିନ କୋରିଆ-ମାଲେସିଆ ଏବଂ ଜାପାନ-ଚାଇନା ମଧ୍ୟରେ ମୁକାବିଲା ହେବ। ତେଣୁ ଜାପାନ ପାଇଁ ମଧ୍ୟ ସୁଯୋଗ ରହିଛି।
ମାଲେସିଆ ପକ୍ଷରୁ ନଜମି ଜଜଲାନ ୧୩, ଅର୍ଶନ ହାମସାନି ୩୭ ଓ ଶେଲୋ ସିଲଭେରିଅସ ୫୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନେକ ସୁଯୋଗ ହାତଛଡ଼ା କରିବା ପରେ ଜାପାନ ପକ୍ଷରୁ ୫୯ତମ ମିନିଟରେ ନିଓ୍ବା ଟାକୁମା ଗୋଟିଏ ଗୋଲ ପରିଶୋଧ କରିଥିଲେ। ମାଲେସିଆ ୪ ମ୍ୟାଚରୁ ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟରେ ପହଞ୍ଚତ୍ଛି। ବିଶେଷ କରି ଭାରତ ନିକଟରୁ ୦-୫ ଗୋଲରେ ପରାଜୟ ପରେ ଏହି ଦଳ ଟୁର୍ନାମେଣ୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୩-୩ରେ ଡ୍ର ରଖିଥିବା ଜାପାନ ଅନେକଥର ଗୋଲ ପରିଶୋଧ ପାଇଁ ସୁଯୋଗ ପାଇଥିଲେ ମଧ୍ୟ ଫିନିଶିଂ ଅଭାବରୁ ପରାଜୟ ସ୍ବାଦ ଚାଖିଛି।
ଚାଇନା ନକ୍‌ଆଉଟ
ପାକିସ୍ତାନଠାରୁ ପରାସ୍ତ ଚାଇନା ପ୍ରତିଯୋଗିତାରୁ ନକ୍‌ଆଉଟ ହୋଇଛି। ୨୦ତମ ମିନିଟରେ ପାକିସ୍ତାନକୁ ମିଳିଥିବା ପେନାଲ୍ଟି କର୍ନରରୁ ପ୍ରଥମ ଗୋଲ ଦେଇଥିଲେ ମହମ୍ମଦ ଖାଁ। ଚାଇନା ଭିଲିଓ ରେଫରାଲ ମାଧ୍ୟମରେ ଗୋଲକୁ ଚ୍ୟାଲେଞ୍ଜ କରିଥିଲା। ବିପଜ୍ଜନକ ଉଚ୍ଚତାରେ ବଲ୍‌କୁ ଶୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଟିଭି ଅମ୍ପାୟର ପାକିସ୍ତାନ ସପକ୍ଷରେ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭର ୩ ମିନିଟ ପରେ ଅର୍ଥାତ୍‌ ୩୩ତମ ମିନିଟରେ ଚାଇନାର ଜିଶେଙ୍ଗ୍‌ ଗାଓ ଗୋଲ ପରିଶୋଧ କରି ଦେଇଥିଲେ। ମ୍ୟାଚ ରୋମାଞ୍ଚକ ହୋଇ ପଡ଼ିଥିବାବେଳେ ୩୯ତମ ମିନିଟରେ ପାକିସ୍ତାନର ଅଫରାଜ ହାକିମ ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା।

Share