Categories: ଖେଳ

ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ

ନୂଆଦିଲ୍ଲୀ, ୧୭ା୩ (ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ତରଫରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ରାଉରକେଲାରେ ଅନୁଷ୍ଠିତ ପ୍ରୋ-ହକି ଲିଗ୍‌ରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପଛକୁ ପଛ ବିଜୟ ଦ୍ୱାରା ଏହା ଘଟିଛି। ଭାରତ ହକି ପାଓ୍ବାର ହାଉସ୍‌ ଅଷ୍ଟ୍ରେଲିଆଠାରୁ ଆଗରେ ରହିଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ଗୋଟିଏ ସ୍ଥାନ ନିମ୍ନ ୫ମକୁ ଖସି ଆସିଛି। ଜାନୁୟାରୀରେ ଓଡ଼ିଶାରେ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିନେଇଥିବା ଜର୍ମାନୀ ପଛକୁ ପଛ ଦୁଇଟି ମ୍ୟାଚରେ ଭାରତଠାରୁ ପରାଜିତ ହେବାରୁ ଦୁଇ ସ୍ଥାନ ଖସି ତୃତୀୟ ସ୍ଥାନକୁ ଚାଲିଆସିଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ସମସ୍ତ ଦୁଇ ଦୁଇଟି ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା। ଗତ ଜାନୁୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତ ପ୍ରିକ୍ୱାର୍ଟରରୁ ବିଦାୟ ନେଇଥିଲା।
ଜର୍ମାନୀ ବିପକ୍ଷ ଡବଲ ଲେଗ୍‌ ବିଶିଷ୍ଟ ମ୍ୟାଚ ଭାରତ ୩-୨, ୬-୩ରେ ଜିତିଥିଲା। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ୫-୪ ଏବଂ ୪-୩ ପେନାଲ୍ଟି ଶୁଟଆଉଟରେ ବିଜୟୀ ହୋଇଥିଲା। ଏହି ସମସ୍ତ ମ୍ୟାଚରେ ବିଜୟ ଦ୍ୱାରା ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ଏହାଛଡ଼ା ର଼୍ୟାଙ୍କିଙ୍ଗ ତାଲିକାରେ ଚତୁର୍ଥରୁ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପାରିଛି। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ବିଶ୍ୱକପ୍‌ ବ୍ରୋଞ୍ଜ ବିଜେତା ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରନରଅପ୍‌ ବେଲଜିୟମ ଦ୍ୱିତୀୟ ସ୍ଥାନରେ ରହିଛି।

Share