ବିଶ୍ୱକୁ ବିପଦ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ, ୧୨ା୫: ଭାରତରେ ଗତବର୍ଷ ଅକ୍ଟୋବରରେ ଦେଖାଦେଇଥିବା କରୋନା ଭାରିଆଣ୍ଟ ବି.୧.୬୧୭ ସାରା ବିଶ୍ୱ ପାଇଁ ଚିନ୍ତାଜନକ ବୋଲି କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ଏହି ମ୍ୟୁଟାଣ୍ଟ ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ। ୩୦ରୁ ଅଧିକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିସାରିଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଏହାଦ୍ୱାରା ଜଣେ ସହଜରେ ସଂକ୍ରମିତ ହେବା, ରୋଗୀର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବା, ଏହି ମ୍ୟୁଟାଣ୍ଟ ଆଣ୍ଟିବଡି ଦ୍ୱାରା ସହଜରେ ନ୍ୟୁଟ୍ରାଲାଇଜେଶନ ହୋଇ ନ ପାରିବା ସହ ଚିକିତ୍ସା ତଥା ଟିକାର ପ୍ରଭାବ କମ୍‌ ରହିବାର ଅଧିକ ଆଶଙ୍କା ରହୁଛି। ପୂର୍ବରୁ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭାରିଏଣ୍ଟକୁ ନେଇ ମଧ୍ୟ ଡବ୍ଲ୍ୟୁଏଚ୍‌ଓ ଚିନ୍ତା ବ୍ୟକ୍ତ କରିଥିଲା। ଭାରତରେ ସ୍ଥିତି ଭୟଙ୍କର କରିବା ପଛରେ ଏହି ମ୍ୟୁଟାଣ୍ଟ ଦାୟୀ କି ନା ତାହା ଜାଣିବା ପାଇଁ ଅଧ୍ୟୟନ ଜାରି ରହିଛି। ତେବେ ଏବେ ସୁଦ୍ଧା ମିଳିଥିବା ତଥ୍ୟ ଆଧାରରେ କୋଭିଡ୍‌ ଟିକା ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନିମନ୍ତେ ପ୍ରଭାବୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ପ୍ରକାଶ ଯେ, ଏହା ପୂର୍ବରୁ ବ୍ରିଟେନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କୋଭିଡ୍‌-୧୯ ଭାରିଆଣ୍ଟକୁ ବିପଜ୍ଜନକ ବୋଲି ଡବ୍ଲ୍ୟୁଏଚ୍‌ଓ କହିସାରିଛି।

Share