ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍ ଇଣ୍ଡିଆ। ଅକ୍ଷର ପଟେଲ ଓ ଭେଟେରାନ ରବିଚନ୍ଦ୍ରନ ଅଶ୍ୱିନଙ୍କ କାରଣରୁ ସୃଷ୍ଟି ହୋଇଛି ଏଭଳି ସମ୍ଭାବନା। ଏହି ଦୁଇ ସ୍ପିନରଙ୍କ ସହ ଓ୍ବାଶିଂଟନ ସୁନ୍ଦର ମିଶି ମାତ୍ର ୩୦.୪ ଓଭରରେ ପୂରା ଇଂଲଣ୍ଡ ଟିମ୍କୁ ୮୧ ରନ୍ରେ ସୀମିତ ରଖିଛନ୍ତି। ଫଳରେ ପ୍ରଥମ ଇନିଂସରେ ୩୩ ରନ୍ରେ ପଛୁଆ ଥିବା ଭ୍ରମଣକାରୀ ଇଂଲଣ୍ଡ ପ୍ରତିପକ୍ଷ ଭାରତ ଆଗରେ ଛିଡ଼ା କରିଛି ୪୯ ରନ୍ର ବିଜୟ ଲକ୍ଷ୍ୟ। ଜବରଦସ୍ତ ଫର୍ମରେ ଥିବା ଅକ୍ଷର ତାଙ୍କ କ୍ୟାରିୟରର ୨ୟ ଟେଷ୍ଟରେ ୩ୟ ଥର ୫ ଉଇକେଟ ସଫଳତା ପାଇଛନ୍ତି। ଅନ୍ୟପଟେ ୪ ଉଇକେଟ ପାଇଥିବା ଅଶ୍ୱିନ ୪୦୦ ଟେଷ୍ଟ ଉଇକେଟ ହାତେଇଥିବା ଟେଷ୍ଟ ବୋଲରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଉଲ୍ଲେଖଥାଉ କି, ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍ କରିଥିବା ବେଳେ ଭାରତ ୧୪୫ ରନ୍ କରିଥିଲା।