Categories: ଜାତୀୟ

କିଏ ସେହି ଡାନିସ୍‌ ଅନ୍‌ସାରୀ? ଏକମାତ୍ର ମୁସଲମାନ୍‌ ଯାହାକୁ ମିଳିଲା ମନ୍ତ୍ରୀପଦ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଯୋଗୀଙ୍କ ୨.୦ ସରକାରରେ ପୂର୍ବଭଳି ୨ ଉପମୁଖ୍ୟମନ୍ତ୍ରୀ ରହିବେ। ଏହାଛଡ଼ା ତାଙ୍କ ଟିମ୍‌ରେ ୫୨ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ଏକମାତ୍ର ମୁସଲମାନ ଭାବେ ଡାନିସ୍‌ ଆଜାଦ ଅନ୍‌ସାରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନ ଥିଲା। ହେଲେ ଦଳ ଜିତିବା ପରେ ଏବେ ଅନ୍‌ସାରୀଙ୍କୁ ମନ୍ତ୍ରୀ କରାଯାଇଛି। ସେ ନିର୍ବାଚନ ଲଢ଼ି ନ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିଛି।

ଛାତ୍ରାବସ୍ଥାରୁ ଏବିଭିପି ସହ ଯୋଡ଼ି ହୋଇଥିଲେ ଅନ୍‌ସାରୀ। ସେ ଏବେ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଛନ୍ତି। ଏଥିଯୋଗୁ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଥିବା କୁହାଯାଉଛି।

୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ୨୭୩ ଆସନ ମିଳିଥିଲା। କେବଳ ଭାଜପା ୨୫୫ ଆସନରେ ଜିତିଥିବାବେଳେ ସହଯୋଗୀ ଅପ୍‌ନା ଦଳ (ଏସ୍‌) ଏବଂ ନିଶାଦ ପାର୍ଟିକୁ ୧୮ଟି ଆସନ ମିଳିଥିଲା। କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତି ଉତ୍ତରପ୍ରଦେଶରେ ସରକାର ଗଢ଼ିବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା।

 

Share