ଚନ୍ଦ୍ରରେ ଭାରତ

ଡ. ନରେନ୍ଦ୍ର ସେଠୀ

 

୨୦୦୩ ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲାରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରୟାନ ମିଶନ ଘୋଷଣା କଲାବେଳେ କେହି ଭାବି ନ ଥିଲେ ଭାରତ ଦିନେ ସଫଳତାର ସହିତ ବିଶ୍ୱର ପ୍ରଥମ ଦେଶ ଭାବରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ପ୍ରକୃତରେ ବାଜପେୟୀଙ୍କ ଏହି ଘୋଷଣା ପଛରେ ୧୯୯୯ ରେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଂକଳ୍ପ ଥିଲା, ଯାହାର ଫଳ ସ୍ବରୂପ ଇସ୍ରୋକୁ ଏହି ଗୁରୁଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ୨୦୦୩ ରେ ଭାରତ ସରକାର ଏହି ଚନ୍ଦ୍ର ମିଶନ ପାଇଁ ଅନୁମତି ପ୍ରଦାନ କରିଥିଲେ ଓ ପ୍ରାରମ୍ଭିକ ଭାବରେ ଚନ୍ଦ୍ରୟାନ ମିଶନ -୧ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଚନ୍ଦ୍ରୟାନ ମିଶନ -୧କୁ ପ୍ରାରମ୍ଭିକ ଭାବରେ ଭାରତର ଭବିଷ୍ୟତର ମିଶନ ପାଇଁ ପ୍ରଥମ ସୋପାନ ଭାବେ ପରିକଳ୍ପିତ କରାଗଲା। ପ୍ରଥମେ ବିଶ୍ୱକୁ ନିଜର ଜ୍ଞାନ କୌଶଳର ପ୍ରଦର୍ଶନ କରିବା ସହିତ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ସଫଳତାର ସହିତ ପହଞ୍ଚତ୍ବା ହିଁ ଏହି ମିଶନର ଲକ୍ଷ୍ୟ ରହିଲା। ୨୦୦୫ ରେ ଚନ୍ଦ୍ରୟାନ ମିଶନ -୧ ନିଜ ସହିତ ଏକ ମୁନ୍‌ ଅର୍ବିଟର ଓ ଏକ ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌ (ଏମ୍‌ଆଇପି ) ନେଇ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। ଭାରତ ପ୍ରଥମ ପ୍ରୟାସରେ ସଫଳତାର ସହିତ ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌କୁ ଅବତରଣ କରାଇ ପାରିଥିଲା। ଏହି ମୁନ୍‌ ଇମ୍ପାକ୍ଟ ପ୍ରୋବ୍‌ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ନିୟନ୍ତ୍ରିତ ହୋଇ ଠିକ୍‌ ଭାବରେ ଚନ୍ଦ୍ର ପୃଷ୍ଠରେ ପଡ଼ିଥିଲା, ଯେଉଁ ସ୍ଥାନକୁ ଜବାହର ବିନ୍ଦୁ ଭାବରେ ନାମକରଣ କରାଯାଇଛି। ଚନ୍ଦ୍ରୟାନ ମିଶନ -୧ ପ୍ରାୟ ୧୦ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା ଓ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରି ସାରା ପୃଥିବୀରେ ଚହଳ ସୃଷ୍ଟି କରିଥିଲା।
ଚନ୍ଦ୍ରୟାନ-୧ର ସଫଳତା ଭାରତର ବୈଜ୍ଞାନିକମାନଙ୍କୁ ଉତ୍ସାହିତ କଲା ଓ ଚନ୍ଦ୍ରୟାନ-୨ ମିଶନରେ ଆଉ ପାଦେ ଆଗକୁ ଯାଇ ସଫଳତାର ସହିତ ଯାନକୁ ସଫ୍ଟ ଲ୍ୟାଣ୍ଡିଂ କରାଇବା ସେମାନେ ପାଇଁ ଲାଗିପଡିଲେ। ଏହି ଅଭିଯାନ ଲାଗି ରୁଷିଆ ଲ୍ୟାଣ୍ଡର ଦେବାକୁ ମନା କରିିବା ଫଳରେ ଭାରତର ବୈଜ୍ଞାନିକମାନେ ସ୍ବଦେଶୀ ଜ୍ଞାନ କୌଶଳରେ ଲ୍ୟାଣ୍ଡର ପ୍ରସ୍ତୁତ କଲେ। ଏକ ଅର୍ବିଟର, ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ନେଇ ଜିଏସ୍‌ଏଲ୍‌ଭି-ଏମ୍‌କେ୩ ରକେଟ ସାହାଯ୍ୟରେ ଚନ୍ଦ୍ରୟାନ-୨ ମିଶନ ୧୮ ଅକ୍ଟୋବର ୨୦୧୯ ରେ ମହାକାଶକୁ ପ୍ରେରିତ କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ଅଣାୟତ୍ତ ହୋଇ ଚନ୍ଦ୍ରପୃଷ୍ଠରେ ପିଟି ହୋଇଯାଇଥିଲା ଓ ଭାରତ ଇତିହାସ ସୃଷ୍ଟି କରିବାକୁ ମାତ୍ରେ ୧ ଇଞ୍ଚ ଦୂରତାରୁ ପଛରେ ରହିଗଲା। ତେବେ ବିଫଳତା ହିଁ ସଫଳତାର ଚାବିକାଠି ଓ ଏହା ଭାରତର ବୈଜ୍ଞାନିକମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ସତ ପ୍ରମାଣିତ ହେଲା ଯେବେ ଚନ୍ଦ୍ରୟାନ-୩ ସଫଳତାର ସହିତ ଦକ୍ଷିଣ ମେରୁରେ ଅବତରଣ କଲା। କୌଣସି ଲୋକପ୍ରିୟ ଖେଳର ବିଶ୍ୱ କପ୍‌ ଫାଇନାଲ ପରି ସମଗ୍ର ଭାରତୀୟଙ୍କ ଆଖି ଚନ୍ଦ୍ରୟାନକୁ ଅବତରଣ କରୁଥିବାର ଦୃଶ୍ୟକୁ ଦେଖିବା ପାଇଁ ଟିଭି ପରଦାରେ ଲାଖି ରହିଥିଲା ଓ ସବୁ ଗଳିକନ୍ଦି ରାସ୍ତାଘାଟ ଜନଶୂନ୍ୟ ହୋଇଗଲା। ଏହା ଭାରତ ପାଇଁ ଏକ ଗର୍ବର କ୍ଷଣ ଓ ସମଗ୍ର ବିଜ୍ଞାନ ସମାଜକୁ ଆମ ଭାରତୀୟମାନଙ୍କର ନତମସ୍ତକ ହେବାର ସମୟ।
କିଛିଦିନ ପୂର୍ବେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ରୁଷିଆର ବିଫଳତା ଏହି ମିଶନର ସଫଳତାକୁ ଆହୁରି ଦ୍ବିଗୁଣିତ କରିଛି। ଚନ୍ଦ୍ରୟାନ-୩ର ସଫଳତାକୁ ସମଗ୍ର ମାନବ ସମାଜ ଆତୁରତାର ସହିତ ଅପେକ୍ଷା କରିଥିଲା କାରଣ ଏହା ଏପରି କିଛି ବିରଳ କୃତି ହାସଲ କରିଛି ଯାହା ଆଗରୁ କେଉଁ ଦେଶ ହାସଲ କରି ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଯେଉଁ କେତୋଟି ହାତଗଣତି ରାଷ୍ଟ୍ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳତା ହାସଲ କରିଛନ୍ତି ତାହା କେବଳ ଏହାର ବିଷୁବ ଅଞ୍ଚଳରେ ଯେଉଁଠି ଇଲାକା ସମତଳ, ପର୍ଯାପ୍ତ ସୂର୍ଯ୍ୟାଲୋକ ଉପଲବ୍ଧ ଓ ପରିବେଶ ଅବତରଣ ପାଇଁ ଅନୁକୂଳ। ତୁଳନାତ୍ମକ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀକୁ ଦୃଶ୍ୟମାନ ହୁଏ ନାହିଁ ଓ ଏଠାରେ ପ୍ରାୟତଃ ଅନ୍ଧକାର, ଉଚ୍ଚ ପାହାଡ଼, ଗଭୀର ଗର୍ତ୍ତ ଓ -୨୩୦ ତାପମାତ୍ରା ଅଛି। ଏତେ ନିମ୍ନ ତାପମାତ୍ରାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲକ୍ଷ ଲକ୍ଷ ବର୍ଷ ଧରି ବିଶେଷ କିଛି ପରିବର୍ତ୍ତନ ହୋଇ ନ ଥିବ। ଏହି ସ୍ଥାନରେ ଅନେକ ପାଣି ବରଫ ଆକାରରେ ଗର୍ତ୍ତମାନଙ୍କରେ ଲୁଚି ରହିଥାଇ ପାରେ ବା କୌଣସି ଜୀବାଂଶ ଇତ୍ୟାଦିର ଠାବ ମଧ୍ୟ ହୋଇପାରେ। ଖୁବ୍‌ଶୀଘ୍ର ପ୍ରଜ୍ଞାନ ରୋଭରରେ ଲାଗିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସୌର ଜଗତର ଉତ୍ପତ୍ତି ସମୟର ଅନେକ ଅଜଣା ତଥ୍ୟ ପ୍ରଥମ କରି ବିଶ୍ୱକୁ ଅବଗତ କରାଇବାକୁ ଯାଉଛି। ସେଠାକାର ମୃତ୍ତିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ୍‌ ଖଣିଜଗୁଡ଼ିକର ମଧ୍ୟ ଏହି ଯାନରେ ଥିବା ଅତ୍ୟାଧୁନିକ ଯନ୍ତ୍ରଗୁଡ଼ିକ ଠାବ କରିବ ଓ ଏହାର ତଥ୍ୟ ପୃଥିବୀକୁ ପ୍ରେରଣ କରାଇବାକୁ ଯାଉଛି।
ଚନ୍ଦ୍ରୟାନ -୨ର ବିଫଳତାକୁ ନେଇ ନ୍ୟୁୟର୍କ ଟାଇମ୍‌ସରେ ଆସିଥିବା ବ୍ୟଙ୍ଗାତ୍ମକ କାର୍ଟୁନ ଚିତ୍ରରେ ବିଶ୍ୱର ହାତଗଣତି ଦେଶଗୁଡ଼ିକ ବସିଥିବା ଇଲାଇଟ୍‌ ସ୍ପେସ୍‌ କ୍ଲବର ଦ୍ୱାର ଦେଶରେ ଜଣେ ଗରିବ ଭାରତୀୟ ତାଙ୍କ ଗାଈ ସହିତ ଛିଡା ହୋଇ ଭିତରକୁ ପ୍ରବେଶ କରିବାକୁ ଚାଁହୁଥିବାର ଦୃଶ୍ୟ ବେଶ୍‌ ଅପମାନଜନକ ଥିଲା। ଏହା ପାଶ୍ଚତ୍ୟ ଦେଶଗୁଡିକର ଭାରତ ପ୍ରତି ସେମାନଙ୍କର ଚିନ୍ତାଧାରା ଓ ମାନସିକତାକୁ ଦର୍ଶାଉଥିଲା ଯେ ଭାରତ ପରି ଏକ ଗରିବ ଅନଗ୍ରସର ଦେଶ ସମ୍ଭ୍ରାନ୍ତ ସ୍ପେସ୍‌ କ୍ଲବର ମେମ୍ବର ହେବାକୁ ସାହସ କଲା କେମିତି ? ଚନ୍ଦ୍ରୟାନ ମିଶନ -୩ର ସଫଳତା ସେହି ପାଶ୍ଚତ୍ୟ ୟୁରୋପୀୟ ଦେଶଗୁଡ଼ିକ ମୁହଁରେ ଏକ ଶକ୍ତ ଚାପୁଡ଼ା ଓ ଏହା ପରେ ଭାରତ ସାରା ବିଶ୍ୱରେ ମହାକାଶ ଜ୍ଞାନ କୌଶଳରେ ଆଗଧାଡ଼ିର ପ୍ରଥମ ସ୍ଥାନରେ ରହିବାକୁ ଯାଉଛି କହିଲେ ଭୁଲ୍‌ ହେବନି। ଏକ ରିପୋର୍ଟରୁ ଜଣାଯାଏ ଯେ ଭାରତ ସ୍ପେସ୍‌ ଇକୋନୋମି ଆଗାମୀ ଦିନରେ ଆଶାତୀତ ଭାବରେ ବୃଦ୍ଧି ପାଇବ, ବିଶେଷ କରି ଶସ୍ତା ଦରରେ ଯୋଗାଯୋଗ ଉପଗ୍ରହ, ନାଭିଗେଶନ ଉପଗ୍ରହ ଇତ୍ୟାଦିର ବୈଶ୍ୱିକ ବଜାର ପାଲଟିଯିବ ଓ ପୃଥିବୀର ଅଧିକାଂଶ ଦେଶ ନିଜର ଉପଗ୍ରହ ପ୍ରେରଣ ପାଇଁ ଭାରତ ଉପରେ ନିର୍ଭରଶୀଳ ହୋଇଯିବେ। ଆନୁଷଙ୍ଗିକ ଯନ୍ତ୍ରପାତି, ସଫ୍ଟୱେର ଆଦି ଯୋଗାଇ ଦେବା ପାଇଁ ଅନେକ ନୂତନ ଘରୋଇ ଷ୍ଟାର୍ଟଅପ୍‌ ଓ ଉଦ୍ୟୋଗ ଗଢିଉଠିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଭାରତରେ ସ୍ପେସ୍‌ ଷ୍ଟାର୍ଟ ଅପ୍‌ ସଂଖ୍ୟା ୧୪୦ରୁ ଅଧିକ ଓ ଏହିସବୁ ଉଦ୍ୟୋଗ ବିପୁଳ ନିଯୁକ୍ତି ସୃଷ୍ଟି କରି ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ଲାଗିଛି। ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ, ମୂଲ୍ୟବାନ ଖଣିଜର ଉତ୍ତୋଳନ ଓ ଆନ୍ତଃ ଗ୍ରହୀୟ ଗବେଷଣା ପାଇଁ ଚନ୍ଦ୍ରର ଉତ୍ପତ୍ତି ଓ ପ୍ରକୃତି ବିଷୟରେ ଅଧ୍ୟୟନ ଏକାନ୍ତ ଆବଶ୍ୟକ ଯାହା ଏପର୍ଯ୍ୟନ୍ତ ଅନେକ ଦେଶ ଏହି ବିଷୟରେ ଅଧ୍ୟୟନ ଆରମ୍ଭ କରିସାରିଛନ୍ତି । ତେବେ ଭାରତର ଏହି ସଫଳତା ୧୯୪୭ ଅଗଷ୍ଟ ୧୫ ପ୍ରଥମ ସକାଳର ଖୁସି ପରି ସମଗ୍ର ଭାରତକୁ ଉତ୍ସବମୁଖର କରି ଆତ୍ମହରା କରିଛି କହିଲେ ଭୁଲ୍‌ ହେବ ନାହିଁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟ ଯବାନ,ଜୟ କିଷାନ ସ୍ଲୋଗାନ ସହ ବାଜପେୟୀ ଜୟ ବିଜ୍ଞାନକୁ ଯୋଡ଼ିଥିଲେ, ଯାହା ଆଜି ଯଥାର୍ଥ ସାବ୍ୟସ୍ତ ହୋଇଛି।
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭ୍ରମଣ ମଧ୍ୟରେ କିଛି ବିପଦ ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଥିଲେ ତାହା ଏକ ନିଆରା ଅନୁଭବ ଦିଏ ବୋଲି କହନ୍ତି ମୁମ୍ବାଇର ନେହାଲ ଶାହା। ସେ...

ପଥୁରିବାଟିର ଚେତାବନୀ

ନବ୍ୟ ଆଧୁନିକତାର ପ୍ରବାହ ମଧ୍ୟରେ ପୁରୁଣା କାଳର ଯେଉଁ କେତେକ ଦ୍ରବ୍ୟ ବିସ୍ମୃତିର ଅତଳ ଗର୍ଭରେ ହଜିଯାଇଛି, ତନ୍ମଧ୍ୟରୁ ପଥୁରିବାଟି ବା ପଥରରେ ନିର୍ମିତ ବାସନ...

ଦୁଃସାହସିକ ଅଭିଯାତ୍ରୀ

କେତେତବେଳେ ଗୋଟେ ଚିନ୍ତାଧାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ, ସେଥିପାଇଁ ବୟସ କଦାପି ତାହା ନିର୍ଦ୍ଧାରଣ କରି ନ ଥାଏ। ନୂଆ କିଛି ପଦକ୍ଷେପ...

ଦକ୍ଷତାର ଅଭାବ

ଚଳିତ ମାସରେ ଦୁଇଟି ଶୀର୍ଷକ ସମ୍ବଳିତ ଖବର ପ୍ରକାଶ ପାଇଛି। ଗୋଟିଏ ହେଉଛି ‘ଟେରର ଫାଇନାନ୍ସିଂ(ଉଗ୍ରବାଦୀଙ୍କୁୁ ପାଣ୍ଠି ଯୋଗାଣ), ମନି ଲଣ୍ଡରିଂ (ଅର୍ଥ ହେରଫେର) ନିୟନ୍ତ୍ରଣ...

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri