Posted inଜାତୀୟ

ଚନ୍ଦ୍ରରେ ଭାରତ, ଦେଶବାସୀ ଗର୍ବିତ

ନୂଆଦିଲ୍ଲୀ,୨୪ା୮: ଯାହାକୁ ଅଗଣିତ ଦେଶବାସୀ ଅପେକ୍ଷା କରିଥିଲେ, ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା, ସେହି ଐତିହାସିକ ମୁହୂର୍ତ୍ତ ଉପନୀତ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରରେ ପାଦ ଥାପିବାରେ ସକ୍ଷମ ହୋଇଛି ଭାରତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ତୃତୀୟ ଚନ୍ଦ୍ରାଭିଯାନ ସଫଳ ହୋଇଛି। ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମାବତରଣ କରିଛି। ଏଥିସହ ରୁଷିଆ, ଆମେରିକା ଓ ଚାଇନା ପରେ ଏହି ବିରଳ ସଫଳତା ହାସଲ କରିବାରେ ଭାରତ ପାଲଟିଛି ଚତୁର୍ଥ ରାଷ୍ଟ୍ର, କିନ୍ତୁ ସାଉଥ୍‌ ପୋଲ୍‌ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ପ୍ରଥମ। ଏହି ଅଭୂତପୂର୍ବ ସଫଳତା ପାଇଁ ଭାରତୀୟ ବୈଜ୍ଞାନିକଙ୍କ ନିକଟକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।
୨୦୨୩ ଅଗଷ୍ଟ ୨୩ ଭାରତ ପାଇଁ ଐତିହାସିକ ଦିନ। ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରରେ ସ୍ପେସ୍‌ ଏଜେନ୍ସିର ଅଧ୍ୟକ୍ଷ ଏସ୍‌. ସୋମନାଥନ୍‌ ଘୋଷଣା କରିଛନ୍ତି, ଆମେ ଚନ୍ଦ୍ରରେ ସୂକ୍ଷ୍ମାବତରଣ କରିପାରିଛେ। ଭାରତ ଏବେ ଚନ୍ଦ୍ରକୁ ଛୁଇଁଛି। ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ସହ ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
୨୦୧୯ରେ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ବିଫଳତା ଏବଂ ଗତ ରବିବାର ରୁଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ପରେ ଭାରତର ତୃତୀୟ ମୁନ୍‌ ମିଶନ୍‌କୁ ନେଇ ସସ୍ପେନ୍ସ ଜାରି ରହିଥିଲା। ଏହାସତ୍ତ୍ୱେ ସ୍ପେସ୍‌ ଏଜେନ୍ସି ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ କେବଳ ଆଶାବାଦୀ ନ ଥିଲେ, ବରଂ ଦୃଢ଼ ନିଶ୍ଚିତ ଥିଲେ। ରୋଭର ପ୍ରଜ୍ଞାନକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୨୭ କି.ମି. ଦୂରରେ ଥିବାବେଳେ ଏହାର ଗତିକୁ ନିୟନ୍ତ୍ରିତ କରି ହ୍ରାସ କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର ପାଇଁ ଆତଙ୍କର ୨୦ ମିନିଟ୍‌ ଆରମ୍ଭ ହୋଇଥିଲା ଭାରତୀୟ ସମୟ ଅପରାହ୍ନ ୫ଟା ୪୪ରେ। ନିର୍ଦ୍ଧାରିତ ସମୟ ପ୍ରାୟ ୬ଟା ୪ରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟାର ସିଧା ପ୍ରସାରଣକୁ ସାରା ଦେଶ ଦେଖିଲା। ବ୍ରିକ୍ସ ସମିଟ୍‌ରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅନ୍‌ଲାଇନ୍‌ରେ ଦେଖିଥିଲେ। ମିଶନ୍‌ ସଫଳ ହୋଇଥିବା ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ଆମେ ଯେତେବେଳେ ଏପରି ଇତିହାସ ରଚୁ ସେତେବେଳେ ଜୀବନ ଧନ୍ୟ ହୋଇଯାଏ। ଏହା ଆମ ପାଇଁ ଏକ ମୂଲ୍ୟବାନ ଓ ଅଭୂତପୂର୍ବ ମୁହୂର୍ତ୍ତ। ଏହି ମୁହୂର୍ତ୍ତ ବିକଶିତ ଭାରତର ନୂଆ ଶଙ୍ଖନାଦ ଦେଇଛି। ଏହା ହେଉଛି ନ୍ୟୁ ଇଣ୍ଡିଆର ୧୪୦ କୋଟି ଲୋକଙ୍କ ହୃତ୍‌ସ୍ପନ୍ଦନର କ୍ଷଣ। ଆମର ମୁନ୍‌ ମିଶନ୍‌ ମାନବକୈନ୍ଦ୍ରିକ ସଫଳତା, ଯାହାକି ସମଗ୍ର ମାନବଜାତି ଉଦ୍ଦେଶ୍ୟରେ ସମର୍ପିତ। ଆଗକୁ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଚନ୍ଦ୍ରାଭିଯାନରେ ସହାୟକ ହେବ। ଏହି ଅବସରରେ ଇସ୍ରୋ ମୁଖ୍ୟ କହିଥିଲେ, ସଫଳତା ପାଇଁ ସେହି ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଦେଶ ଲାଗି ପ୍ରାର୍ଥନା କରିଥିଲେ, ଉତ୍ସାହ ଦେଖାଇଥିଲେ ଏବଂ ଭଲ ପାଇବା ଦେଇଥିଲେ। ଆପଣମାନଙ୍କୁ ଏହା ଉତ୍ସର୍ଗୀକୃତ। ଆମର ପରବର୍ତ୍ତୀ ମିଶନ ହେବ ଗଗନୟାନ (ହ୍ୟୁମାନ୍‌ ସ୍ପେସ୍‌ ଫ୍ଲାଇଟ୍‌)। ସେପ୍ଟେମ୍ବର କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଆରମ୍ଭ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ ବାର୍ତ୍ତାରେ କହିଥିଲେ, ବାସ୍ତବରେ ଏହା ହେଉଛି ଏକ ଗୌରବର ମୁହୂର୍ତ୍ତ, ଯାହାକି ଜୀବନକାଳ ମଧ୍ୟରେ ଥରେ ଥରେ ଦେଖିବାକୁ ମିଳିଥାଏ। ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ ମିଶନ୍‌କୁ ସଫଳ କରି କେବଳ ଇତିହାସ ରଚିନାହାନ୍ତି, ସେମାନେ ଭୂଗୋଳର ଧାରଣାକୁ ପୁନଃ ଅଙ୍କନ କରିଛନ୍ତି।
ଅନ୍ୟପକ୍ଷେ ବିକ୍ରମ ଲ୍ୟାଣ୍ଡରର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ବିପୁଳ ଧୂଳିକଣିକା ଉଠିଥିଲା। ଚନ୍ଦ୍ରର ନିମ୍ନ ମାଧ୍ୟାକର୍ଷଣ ଯୋଗୁ ଏହି ଧୂଳି ସ୍ଥିର ହେବାକୁ ଦିନେ ଲାଗିଯିବ। ଏହା ପରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଗଡ଼ିବା ଆରମ୍ଭ କରିବ। ବହୁ ପରୀକ୍ଷାନିରୀକ୍ଷା ପରେ ଲ୍ୟାଣ୍ଡିଂ ସ୍ଥଳ ସ୍ଥିର କରାଯାଇଥିଲା। ଉକ୍ତ ଅଞ୍ଚଳରେ ଜଳର ସଙ୍କେତ ଥିବାରୁ ଚନ୍ଦ୍ରରେ ବରଫ ଥାଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ବୈଜ୍ଞାନିକ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ପୂର୍ବରୁ ମଧ୍ୟ ୨୦୦୯ରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସହାୟତାରେ ଭାରତର ପ୍ରଥମ ମୁନ୍‌ ମିଶନ ଚନ୍ଦ୍ରୟାନ-୧ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇଥିଲା। ଆଗାମୀ ୨୪ ଦିନ (ଅର୍ଥାତ୍‌ ଚନ୍ଦ୍ରର ଦିନେ) ଧରି ସୌରଚାଳିତ ରୋଭର ପ୍ରଜ୍ଞାନ ଜହ୍ନ ରାଇଜରୁ ଇସ୍ରୋକୁ ଅନେକ ଚିତ୍ର ଓ ତଥ୍ୟ ପ୍ରେରଣ କରିବ। ୧୪ ଦିନ ପରେ ଏହାର ଗତିବିଧି ମନ୍ଥର ହୋଇଯାଇପାରେ। ମୁନ୍‌ ରୋଭର ଲ୍ୟାଣ୍ଡର ବିକ୍ରମ ଏବଂ ଚନ୍ଦ୍ରୟାନ୍‌-୨ର ଅର୍ବିଟର ସହ ଯୋଗାଯୋଗରେ ରହିବ। ଲ୍ୟାଣ୍ଡର ଇସ୍ରୋକୁ ଡେଟା ରିଲେ କରିବ।
ପ୍ରକାଶ ଯେ, ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ୍‌ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ମୁନ୍‌ ଲ୍ୟାଣ୍ଡରକୁ ଭିଏଲ୍‌ଏମ୍‌ ୩ ଜରିଆରେ ଲଞ୍ଚ୍‌ କରାଯାଇଥିଲା। ଅଗଷ୍ଟ ୫ରେ ଏହା ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

‘ମୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିଲି’

ଚନ୍ଦ୍ରୟାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଭାରତ ଇତିହାସ ସୃଷ୍ଟି କରିଛି। ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍‌ ୬ଟା ୪ ମିନିଟରେ ଓହ୍ଲାଇବା ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ଯ୍ୟାଳୟରେ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା। ମିଶନର ସଫଳତା ପାଇଁ ଇସ୍ରୋ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛି। ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି। ‘ଭାରତ, ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିଲି
ଏବଂ ତୁମେ ମଧ୍ୟ’ ବୋଲି ବିକ୍ରମ ବାର୍ତ୍ତା ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା...

ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି,...

ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ ,୨୩ା୧୧: ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ...

କ’ଣ ୯୯% ଚାର୍ଜ ଥିବା ଇଭିଏମ୍‌ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ…

ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ତାଙ୍କର ସ୍ବାମୀ ନିର୍ବାଚନରେ ପରାଜିତ ହେବା ପରେ ପୁରା ଦିନ ଭୋଟିଂ...

ନାଣ୍ଡେଡ୍‌ ଲୋକ ସଭା ଆସନ ହାତେଇଲା ଭାଜପା

ଓ୍ବାୟନାଡ୍‌,୨୩ା୧୧: ମହାରାଷ୍ଟ୍ରର ନାଣ୍ଡେଡ୍‌ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସନ୍ତୁକରାଓ ମାରୋତରାଓ ହମ୍ବାର୍ଡେ ବିଜୟୀ ହୋଇଛନ୍ତି। ସେଠାରୁ ନିର୍ବାଚିତ ହୋଇଥିବା...

ମହାରାଷ୍ଟ୍ର ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ପ୍ରଧାନମନ୍ତ୍ରୀ ମୋଦି, ଝାଡ଼ଖଣ୍ଡରେ ପରାଜୟକୁ ନେଇ କହିଦେଲେ ଏମିତି…

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ସାରା ଦେଶରେ ହୋଇଥିବା ଉପନିର୍ବାଚନରେ ଭାଜପାର ପ୍ରଚଣ୍ଡ ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିର୍ବାଚନ ଡେବ୍ୟୁରେ ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍‌ରେ ବାଜିମାତ

ଓ୍ବାୟନାଡ଼,୨୩।୧୧: କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ଝାଡଖଣ୍ଡରେ ବାଜି ମାରିଲେ ଓଡ଼ିଆ ଝିଅ, ପୁଣି ସୋରେନ ସରକାର

ରାଞ୍ଚି,୨୩।୧୧: ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍‌ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri