କଟକଣା ଲାଗୁ ହୋଇଥିବା ଦେଶକୁ ମାନବୀୟ ସହାୟତା ପ୍ରସ୍ତାବକୁ ଭାରତର ବିରୋଧ: ଜୟଶଙ୍କରଙ୍କୁ ପ୍ରଶଂସା କଲେ ଥରୁର୍‌ …

ଜେନେଭା,୧୧।୧୨ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଜାତିସଂଘ ଦ୍ୱାରା କଟକଣା ଜାରି ହୋଇଥିବା ଦେଶକୁ ମାନବୀୟ ସହାୟତା ଦେବା ପ୍ରସ୍ତାବକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତ ଏଭଳି ପଦକ୍ଷେପ ଲାଗି ଥରୁର୍‌ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ଯେ ଏହି ପ୍ରସ୍ତାବ ପଛରେ ଥିବା ମାନବିକତାକୁ ବୁଝି ଭାରତ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଭାରତର ଆପତ୍ତି ସହ ସମ୍ପୂର୍ଣ୍ଣ ଭାବେ ସହମତ ଅଟେ। ଜୟଶଙ୍କର ଭଲ କାମ କରିଛନ୍ତି । ସେ ସଠିକ ନିଷ୍ପତ୍ତି ନେଇଛନ୍ତି।

ବାସ୍ତବରେ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ପ୍ରତିବନ୍ଧକ ଲଗାଯାଇଥିବା ଦେଶଗୁଡିକ ମାନବିକ ସହାୟତା କ୍ଷେତ୍ରରେ ମଧ୍ୟ ଛାଡ ପାଇବା ଉଚିତ ଯାହା ଦ୍ୱାରା ବିପର୍ଯ୍ୟୟ କିମ୍ବା ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ବିରୋଧ କରି କହିଛି ଯେ ପଡୋଶୀ ଦେଶ ସମେତ କଳା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାଣ୍ଠି ସଂଗ୍ରହ କରୁଛନ୍ତି। ଭାରତ ହିଁ ଏକମାତ୍ର ସଦସ୍ୟ ଯିଏ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ମନା କରିଦେଇଛି। ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ୧୪ ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ।

ପରୋକ୍ଷରେ ପାକିସ୍ତାନ ଏବଂ ଏହାର ମାଟିରେ ତାଲିମ ନେଉ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିଷୟରେ ଉଲ୍ଲେଖ କରି ପରିଷଦର ଅଧ୍ୟକ୍ଷା ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଯେ ଏହି ପ୍ରସ୍ତାବ ପାରିତ ହେବା ଦ୍ୱାରା ଅନେକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଶକ୍ତି ପ୍ରଦାନ କରିବ। କାରଣ ଏହି ସମସ୍ତ ସଂଗଠନ ମାନବିକ ସହାୟତା ନାମରେ ଟଙ୍କା ଉଠାଇଥାନ୍ତି। ଏହା ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ ହୋଇଥାଏ। ଏହି ସମସ୍ତ ଆତଙ୍କବାଦୀ ସଂଗଠନ ଏକ ଦାନକାରୀ ସଂସ୍ଥା ସୃଷ୍ଟି କରି ନିଜକୁ ମାନବିକ ସଂଗଠନ ଭାବରେ ଘୋଷଣା କରି ନିଜ ଉଦ୍ଦେଶ୍ୟ ସହଜରେ ପୂରଣ କରିପାରିବେ ଏବଂ ଆତଙ୍କବାଦୀଙ୍କୁ ଅଧିକ ପାଣ୍ଠି ଯୋଗାଇ ପାରିବେ। କାମ୍ବୋଜ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀ ସଂଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଜମାତ-ଉଦ-ଦାୱାକୁ ଏକ ସ୍ପଷ୍ଟ ସନ୍ଦର୍ଭରେ ସେ କହିଛନ୍ତି ଯେ ଏହି ପରିଷଦ ଦ୍ୱାରା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଆମ ପଡ଼ୋଶୀ ଅଞ୍ଚଳରେ ରହିଛନ୍ତି। ସେମାନଙ୍କ ବିରୋଧରେ ବହୁ ଆତଙ୍କବାଦୀ ଗୋଷ୍ଠୀ ମାମଲା ରୁଜୁ ହୋଇଛି।

Share