Categories: ଜାତୀୟ

ଦେଶର ନାଗରିକ ‘ଇଣ୍ଡିଆ’ ଅବା ‘ଭାରତ’ କହିବାକୁ ସ୍ବାଧୀନ: ୨୦୧୬ମସିହାରେ କହିଥିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ। ଏହି ସମାନ ବିବାଦ ୨୦୧୬ମସିହାରେ ମୁଣ୍ଡ ଟେକିଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରାଯାଇଥିଲା।

ସେହି ସମୟରେ ଏହି ମାମଲାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି କୋର୍ଟ କହିଥିଲେ, ସମ୍ବିଧାନର ଧାରା ୧ଅନୁସାରେ ଇଣ୍ଡିଆ ହେଉଛି ଭାରତ। ଦେଶର ସମସ୍ତ ନାଗରିକ ଦେଶକୁ ଇଣ୍ଡିଆ ହେଉ କି ଭାରତ ସ୍ବାଧୀନ ଭାବେ କହିପାରିବେ।

ସୂଚନାଯୋଗ୍ୟ, ଭାରତକୁ ନେଇ ଦେଶରେ ମହାଭାରତ ଆରମ୍ଭ ହୋଇଛି। ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି। ତେବେ ଏହି ସମୟରେ ୨୦୧୬ରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପ୍ରାସଙ୍ଗିକ ହୋଇପାଡିଛି।

ତତ୍କାଳୀନ ପ୍ରଧାନ ବିଚାରପତି ଟି.ଏସ ଠାକୁର ଏବଂ ଜଷ୍ଟିସ ୟୁୟୁ ଲଲିତଙ୍କ ଖଣ୍ଡପୀଠ ମହାରାଷ୍ଟ୍ରର ନିରଂଜନ ଭଟୱାଲଙ୍କ ଦ୍ୱାରା ଦାଖଲ ପିଟିଶନକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ, ଯଦି କେହି ଦେଶକୁ ଭାରତ ବୋଲି କହିବାକୁ ଚାହାଁନ୍ତି ତେବେ ସେମାନେ ଭାରତ ବୋଲି କୁହନ୍ତୁ। ତେବେ ସେହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି କହିଥିଲେ, ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି କହିବାର କୌଣସି ଆବଶ୍ୟକତା ନାହିଁ।

Share