Categories: ଜାତୀୟ

ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ,୨୮ା୬: କୋଭିଡ୍‌ ଟିକାକରଣରେ ଭାରତ ଆମେରିକାକୁ ଟପିଛି। ଭାରତରେ ମୋଟ ୩୨ କୋଟି ୩୬ ଲକ୍ଷ ୬୩ ହଜାର ୨୯୭ ଡୋଜ୍‌ ଦିଆ ଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨ କୋଟି ୩୩ ଲକ୍ଷ ୨୭ ହଜାର ୩୨୮ ଡୋଜ୍‌ ଟିକା ଦିଆଯାଇଛି। ରିପୋର୍ଟ ଅନୁସାରେ ଆମେରିକାରେ ୪୬.୫ ପ୍ରତିଶତ ଯୁବବର୍ଗଙ୍କ ସମ୍ପୂର୍ଣ୍ଣ ଟିକାକରଣ ସରିଥିବା ବେଳେ ଭାରତରେ ଏହା ୫.୬ ପ୍ରତିଶତ ରହିଛି। ଦେଶରେ ଟିକାକରଣ ହାର ବଢ଼ିଛି। ଏଥିପାଇଁ ଉଦ୍ୟମ ଜାରି ରଖିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତରେ ଗତ ଜାନୁୟାରୀ ୧୬ରୁ ସାମୂହିକ ଟିକାକରଣ ଆରମ୍ଭ ହୋଇଥିଲା। ୨୦୨୦ ଡିସେମ୍ବର ୧୪ରେ ଆମେରିକା ଭାକ୍ସିନେଶନ ଆରମ୍ଭ କରିଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାର ସମସ୍ତଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷ ୨୧ ହଜାର ୨୬୮ ଭାକ୍ସିନ ଡୋଜ୍‌ ଦିଆଯାଇଛି। ଗତ ସପ୍ତାହରେ ଦେଶରେ ୩ କୋଟି ୯୧ ଲକ୍ଷ ଡୋଜ୍‌ ପ୍ରଦାନ କରାଯାଇଛି।

Share