ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇଦେଇଛି। ଅନେକ ରାଜ୍ୟରେ ଏହି ଭାରିଆଣ୍ଟ ଯୋଗୁ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ନିୟମକୁ ପୁଣିଥରେ କଡ଼ା କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ବି କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ କିନ୍ତୁ ସଙ୍କଟ ଏବେ ବି ଜାରି ରହିଛି। ତେଣୁ କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏହାକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ଏକ ନୂତନ ଟିକାକରଣ ନୀତି ଗ୍ରହଣ କରାଯାଇଛି। ତେବେ ଟୀକାକରଣ ମାମଲାରେ ଭାରତ ଆମେରିକାକୁ ପଛରେ ପକାଇଦେଇଛି। ଗତ ବର୍ଷ ଡିସେମ୍ବର ୧୪ରୁ ଆମେରିକାରେ ଟିକାକରଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୩୨, ୩୩, ୨୭, ୩୨୮ ଲୋକଙ୍କୁ ଟିକାକରଣ କରାଯାଇଛି। ଅନ୍ୟପଟେ ଭାରତରେ ଚଳିତବର୍ଷ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଜୁନ ୨୮ ସକାଳ ପର୍ଯ୍ୟନ୍ତ ୩୨,୩୬, ୬୩, ୨୯୭ ଲୋକଙ୍କୁ ଟିକା ଦିଆଯାଇଥିବା ଜଣାପଡ଼ିଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ଇଟାଲୀ ଭଳି ଦେଶଗୁଡ଼ିକରେ ଦିଆଯାଇଥିବା ଟିକାକରଣ ତୁଳନାରେ ଭାରତ ଆଗରେ ରହିଛି।

Share