Categories: ଜାତୀୟ

ଅସ୍ତ୍ରବିରତି ପାଇଁ ଭାରତ, ପାକ୍‌ ରାଜି

ନୂଆଦିଲ୍ଲୀ, ୨୬।୨(ପି.ଟି.):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସମେତ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡ଼ାକଡ଼ି ପାଳନ କରିବା ଲାଗି ଭାରତ ଓ ପାକିସ୍ତାନ ସହମତ ହୋଇଥିବା ଗୁରୁବାର ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ବୁଧବାର ମଧ୍ୟରାତ୍ରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦୁଇ ଦେଶର ସାମରିକ ଅଭିଯାନର ମହାନିର୍ଦ୍ଦେଶକ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ହଟ୍‌ଲାଇନ ଯୋଗାଯୋଗ ଜରିଆରେ ଡିଜିଏମ୍‌ଓମାନେ ଆଲୋଚନା କରିବା ସହ ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରର ସ୍ଥିତି ସମୀକ୍ଷା କରିଥିଲେ। ସୀମାରେ ଶାନ୍ତି ବଜାୟ ରଖିବା ଲାଗି କିଛି ମାସ ପୂର୍ବରୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ତାଙ୍କ ପାକ୍‌ ପ୍ରତିପକ୍ଷ ମୋଇଦ୍‌ ଡବ୍ଲ୍ୟୁ ୟୁସୁଫଙ୍କ ମଧ୍ୟରେ ବ୍ୟାକ୍‌ ଚ୍ୟାନେଲରେ କଥାବାର୍ତ୍ତା ହୋଇଥିଲା ବୋଲି ଜଣାପଡ଼ିଛି।
ସୀମାରେ ଆପୋସ ସୁବିଧା ଏବଂ ଦୀର୍ଘମିଆଦୀ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଡିଜିଏମ୍‌ଓ ପରସ୍ପରର ପ୍ରମୁଖ ପ୍ରସଙ୍ଗ ଓ ଉଦ୍‌ବେଗ ଦୂର କରିବା ଲାଗି ରାଜି ହୋଇଥିଲେ। ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ସମସ୍ତ ରାଜିନାମା, ବୁଝାମଣା ଓ ଅସ୍ତ୍ରବିରତିକୁ କଡ଼ାକଡ଼ି ପାଳନ କରିବା ଲାଗି ସେମାନଙ୍କ ମଧ୍ୟରେ ସହମତି ହୋଇଥିଲା। କୌଣସି ଅଦୃଷ୍ଟ ସ୍ଥିତି କିମ୍ବା ଭୁଲ୍‌ ବୁଝାମଣାର ସମାଧାନ ବର୍ତ୍ତମାନର ହଟ୍‌ଲାଇନ ଯୋଗାଯୋଗ ବ୍ୟବସ୍ଥା ଏବଂ ସୀମାନ୍ତ ଫ୍ଲାଗ୍‌ ମିଟିଂ ମାଧ୍ୟମରେ କରାଯିବ ବୋଲି ଉଭୟ ପକ୍ଷ ଦୋହରାଇଥିଲେ।
ସରକାରୀ ତଥ୍ୟ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ଭାରତ-ପାକ୍‌ ସୀମାରେ ପାଖାପାଖି ୧୧ ହଜାର ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଥିରେ ଯବାନ ଓ ସାଧାରଣ ନାଗରିକଙ୍କ ସମେତ ୧୪୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ଗତବର୍ଷ ପାକିସ୍ତାନ ୫,୧୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ୪୬ ସୁରକ୍ଷା ଯବାନଙ୍କ ମୃତ୍ୟୁ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ନିକଟରେ ପାର୍ଲାମେଣ୍ଟରେ କହିଥିଲେ।

Share