Categories: ଜାତୀୟ

ସୁପର-୪ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ, ୧୦।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳି ୨ ପଏଣ୍ଟ ପାଇ ସାରିଥିବାବେଳେ ଭାରତ ପାଇଁ ହେବ ପ୍ରଥମ ମ୍ୟାଚ। ଲିଗ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ବର୍ଷାରେ ବାଧାପ୍ରାପ୍ତ ହୋଇ ଯାଇଥିଲା। ଆଗାମୀ ମ୍ୟାଚ ସମୟରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି। ସେଥିପାଇଁ ଗୋଟିଏ ରିଜର୍ଭ ଦିବସ ରଖା ଯାଇଛି।
ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଦଳ ଚୟନକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଲୋକେଶ ରାହୁଲ ଓ ଇଶାନ କିଶନଙ୍କ ମଧ୍ୟରୁ କାହାକୁ ଦଳରେ ନିଆଯିବ ତାହାକୁ ନେଇ ଚିନ୍ତା ବଢ଼ିଛି। କିଶନ ନିକଟ ଅତୀତରେ ୪ ମ୍ୟାଚରୁ ୪ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଏବଂ ପାକିସ୍ତାନ ବିପକ୍ଷ ଗ୍ରୁପ୍‌ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ କିଛି ଅସୁବିଧା ଅନୁଭବ କରୁ ନ ଥିବା ମଧ୍ୟ ସେ ପ୍ରମାଣିତ କରିଛନ୍ତି। ବାମହାତୀ ହୋଇଥିବାରୁ ତାଙ୍କ ଉପସ୍ଥିତିରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ବିବିଧତା ମଧ୍ୟ ଆସିପାରୁଛି। ଅନ୍ୟପକ୍ଷରେ ଆହତ ସମସ୍ୟାରୁ ମୁକୁଳିଥିବା ରାହୁଲ ଗତ ମାର୍ଚ୍ଚରୁ ଦିନିକିଆ ଖେଳି ନାହାନ୍ତି। ତେବେ ୨୦୧୯ରୁ ସେ ଭାରତୀୟ ଦିନିକିଆ ଦଳରେ ସେ ଜଣେ ନିର୍ଭରଯୋଗ୍ୟ ସଦସ୍ୟ ରହି ଆସିଛନ୍ତି। ଏହି ବର୍ଷ ସେ ୧୩ ମ୍ୟାଚରୁ ୪୭.୬୭ ଆଭରେଜରେ ୫୭୨, ୨୦୨୦ରେ ୯ ମ୍ୟାଚରୁ ୫୫.୩୮ ଆଭରେଜରେ ୪୪୩, ୨୦୨୧ରେ ୩ ମ୍ୟାଚରୁ ୮୮.୫୦ ଆଭରେଜରେ୧୦୮, ୨୦୨୨ରେ ୧୦ ମ୍ୟାଚରୁ ୨୭.୮୯ ଆଭରେଜରେ ୨୫୧ ଓ ୨୦୨୩ରେ ୬ ମ୍ୟାଚରୁ ୫୬.୫୦ ଆଭରେଜରେ ୨୨୬ ରନ ସ୍କୋର କରିଛନ୍ତି। ୫ ନମ୍ବର ସ୍ଥାନରେ ସେ ୧୮ଟି ମ୍ୟାଚ ଖେଳି ୫୩ ଆଭରେଜରେ ୭୪୨ ରନ ସ୍କୋର କରି ସାରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ସାମିଲ। ତାଙ୍କ ଉଇକେଟ କିପିଂ ଦକ୍ଷତା ମଧ୍ୟ ବେଶ୍‌ ଭଲ। ଶୁକ୍ରବାର ସେ ନେଟ୍ସରେ ଅନେକ ସମୟ ଅଭ୍ୟାସ କରିଥିବାରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ରହିଛି। ସେ ଯାହା ହେଉ ନା କାହିଁକି ୫ ନମ୍ବର ସ୍ଥାନ ପାଇଁ ଟିମ୍‌ ମ୍ୟାନେଜମେଣ୍ଟକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ।
ବାଂଲାଦେଶକୁ ହରାଇ ପାକିସ୍ତାନ ସୁପର-୪ରେ ୨ ପଏଣ୍ଟ ପାଇ ସାରିଛି। ଭାରତ ସେଭଳି ଆରମ୍ଭ ଆବଶ୍ୟକ କରୁଛି। ତେବେ ଭାରତୀୟ ବ୍ୟାଟରଙ୍କୁ ପାକିସ୍ତାନର ପେସ୍‌ ତ୍ରୟ ଶାହିନ ଶାହ ଆଫ୍ରିଦୀ, ହାରିସ ରୌଫ ଓ ନସିମ ଶାହାଙ୍କ ବୋଲିଂକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଶାହିନଙ୍କ ଇନ୍‌କମିଂ ବଲ୍‌, ହାରିସ ରୌଫଙ୍କ ସ୍ପିଡ୍‌ ଚଳିତ ପ୍ରତିଯୋଗିତାରେ ଚର୍ଚ୍ଚାରେ ରହିଛି। ୩ ମ୍ୟାଚରୁ ରୌଫ ୯ ଏବଂ ନସିମ ୭ ଉଇକେଟ ପାଇ ସାରିଛନ୍ତି।

Share