ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ଦାବି କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ ଯଦି ଆମେରିକା ଏବଂ ରୁଷିଆ ମଧ୍ୟରେ ଆଣବିକ ଯୁଦ୍ଧ ହୁଏ, ତେବେ ଦୁଇ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟାର ତିନି-ଚତୁର୍ଥାଂଶ ଲୋକଙ୍କର ମୃତ୍ୟୁ ଘଟିବ। ଏହାର ଅର୍ଥ ହେଉଛି ୫୦୦ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଏହା ସହିତ ଅଧା ପୃଥିବୀ ଧ୍ୱଂସ ହୋଇଯିବ।

ଏହି ଗବେଷଣାରେ କୁହାଯାଇଛି ଯେ ଯଦି ଏହି ଦୁଇ ମହାଶକ୍ତି ମଧ୍ୟରେ ଅଳ୍ପ ପରିମାଣରେ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ, ତେବେ ଲୋକମାନେ ଏକ ବଡ଼ ଧରଣର ଅନାହାରର ଶିକାର ହୋଇପାରନ୍ତି। କେବଳ ଏତିକି ନୁହେଁ, ଯଦି ଭାରତ ଏବଂ ପାକିସ୍ତାନ ଭଳି ଦେଶ ମଧ୍ୟ ଆଣବିକ ଯୁଦ୍ଧରେ ପ୍ରବେଶ କରନ୍ତି, ତେବେ ବିଶ୍ୱରେ ଖାଦ୍ୟ ଶସ୍ୟ ଯୋଗାଣ ପ୍ରଭାବିତ ହେବ।

ଏହି ଅଧ୍ୟୟନରେ, ଆଣବିକ ଯୁଦ୍ଧ ହେଲେ କେତେ ଆବର୍ଜନା ସଂଗ୍ରହ କରାଯିବ ବୋଲି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି। ଏହା ବ୍ୟତୀତ ଆମେରିକା, ରୁଷିଆ, ଭାରତ ଏବଂ ପାକିସ୍ଥାନ ଭଳି ଦେଶ ଉପରେ ଏହାର ପ୍ରଭାବ କ’ଣ ରହିବ? ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଉତ୍ପାଦନ ଉପରେ ଏହାର ପ୍ରଭାବ କ’ଣ ହେବ? ଏହା ମଧ୍ୟ ଅଧ୍ୟୟନ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ ଆଣବିକ ଯୁଦ୍ଧ ହେଲେ ଖାଦ୍ୟ, ମାଂସ, ମାଛ ଇତ୍ୟାଦି ଯୋଗାଣ ପୃଥିବୀରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହା ମଧ୍ୟ ବ୍ୟାପକ ଅନାହାରର କାରଣ ହୋଇପାରେ। ନେଚର ଫୁଡ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ଯଦି ଆମେରିକା ଏବଂ ରୁଷିଆ ମଧ୍ୟରେ ଆଣବିକ ଯୁଦ୍ଧ ହୁଏ ତେବେ ଭୟଙ୍କର ସ୍ଥିତି ସୃଷ୍ଟି ହେବ।

ସମ୍ପ୍ରତି ଗୋଟିଏ ପଟେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ବଢୁ ଥିବାବେଳେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପୃଥିବୀ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟ ତିକ୍ତତା ବୃଦ୍ଧି ପାଉଛି। ଅପରପକ୍ଷରେ ଚାଇନାର ବିସ୍ତାରବାଦୀ ମନୋଭାବ ଯୋଗୁଁ ଭାରତ, ଜାପାନ ସମେତ ଅନେକ ପଡୋଶୀ ଦେଶ ସହ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share