ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯିବ। ଏହାଦ୍ୱାରା ୮୦ କୋଟି ପାଖାପାଖି ଲୋକଙ୍କଠାରେ ଟିକାର ପ୍ରୟୋଗ କରାଯାଇ ଯାଇ ପାରିବ। ଅବଶିଷ୍ଟ ଲୋକଙ୍କ ମଧ୍ୟରେ ହର୍ଡ ଇମ୍ୟୁନିଟି ସୃଷ୍ଟି କରାଯିବାର ଯୋଜନା କରାଯାଇଛି। ଭାରତ ସର୍ବାଧିକ ସଂଖ୍ୟକ ଟିକା କିଣିବାକୁ ଚାହୁଁଥିବା ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୟୁରୋପୀୟ ସଂଘ ୧୫୮ କୋଟି ଟିକା କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ୨୦୨୧ ଜୁଲାଇ ସୁଦ୍ଧା ଭାରତ ୨୫ରୁ ୩୦ କୋଟି ଲୋକଙ୍କ ପାଇଁ ୪୦ରୁ ୫୦ କୋଟି ଟିକା କିଣିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଟିକା କିଣାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରଥମ ପର୍ଯ୍ୟାୟରେ କିଣାଯାଇଥିବା ଟିକା ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷ, ସାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏହାପରେ ଅନ୍ୟ ଲୋକଙ୍କ ଟିକାକରଣ କରାଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।